Odia News Portal

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ ରହିଥିବାରୁ ନୂଆ ଲୁଗା ଓ ଡ୍ରେସ କିଣିବା ଲାଗି ଲୋକେ ହାଟରେ ଭିଡ଼ ଜମାଉଛନ୍ତି । ସେପଟେ କୋଭିଡ ନିୟମକୁ ଖୁଲମଖୁଲା ଉଲଙ୍ଘନ କରି ଦୋକାନ ଖୋଲି ବୋପାର କରୁଛନ୍ତି ଦୋକାନୀ । ତେବେ ଡମଣା ହାଟରେ ଦୋକାନ ଖୋଲିଥିବା ୫ଜଣ ଦୋକାନୀଙ୍କ ଦୋକାନ ସିଲ କରାଯାଇଛି । ବିଏମସି ଓ ବିଡିଓର ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ୫ଟି ଦୋକାନ ସିଲ କରିବା ସହ ସେମାନଙ୍କୁ ଫାଇନ ମଧ୍ୟ କାଟିଛନ୍ତି ।

ସୂଚନା ଥାଉକି, କରୋନାର ଚେନ ଭାଙ୍ଗିବା ଲାଗି ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସଟଡାଉନ । ରଜରେ କୋଭିଡ କଟକଣା ମାନି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅମାନିଆ ଦୋକାନୀଙ୍କ ନିକଟରୁ ଫାଇନ ଆଦାୟ କରିବା ସହ ଆବଶ୍ୟକ ପଡ଼ିଲେ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ତେବେ ଏହି ଅବସରରେ ଦୁଇଦିନ ହେବ ଭୁବନେଶ୍ୱରରେ ଜୋରଦାର ଚାଲିଛି ଚେକିଂ । ଅନେକ ଅମାନିଆଙ୍କ ଦୋକାନ ସିଲ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଉଛି ।