Odia News Portal

ନଡିଆ ପାଣିର ଉପକାରିତା

ଯଦି ଆପଣ ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପାଟି ଘା’ ହୋଇଥାଏ। ଖାଦ୍ୟରେ ପୁଷ୍ଟିସାର ଅଭାବ ହେଲେ ଏହି ସମସ୍ୟା ଅଧିକ ହୋଇଥାଏ। ଯେତେବେଳେ ଆପଣ କାମ ଚାପରେ ଥାଆନ୍ତି ବା ଅଧିକ ଧୂମପାନ କରନ୍ତି ସେତେବେଳେ ମଧ୍ୟ ଏହିଭଳି ସମସ୍ୟା ଦେଖାଦିଏ। ପାଟି ଘା’ କଷ୍ଟଦାୟକ ହେବା ସହ ବାରମ୍ବାର କଥା ହେବା ଓ ଖାଇବା ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ। କିନ୍ତୁ ସକାଳେ ନଡ଼ିଆ ପାଣି ପିଇବା ଦ୍ୱାରା ପାଟି ଘାଆରୁ ମୁକ୍ତି ମିଳିଥାଏ। ଏହାଛଡ଼ା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ।

ଖରାଦିନିଆ ରୋଗରୁ ଭଲହେବା ପାଇଁ ନଡ଼ିଆ ପାଣି ରାମ ବାଣ ଭଳି କାମ କରେ। ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହି ପାନୀୟର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଅନୁଯାୟୀ ଶରୀରର ଅଧିକ ଉତ୍ତାପ ପାଟି ଘା’ ଆକାରରେ ବାହାରିଥାଏ। ଖରା ଦିନରେ ଆପଣଙ୍କ ପାଟି ଘା’ ଅଧିକ ହୋଇଥାଏ। ତେଣୁ ସକାଳେ ଗୋଟେ ଗ୍ଲାସ୍ ନଡ଼ିଆ ପାଣି ପିଇବା ଦ୍ୱାରା ପାଟି ଘାକୁ ଚିକିତ୍ସା କରିବାରେ ସାହାଯ୍ୟ କରେ। ଏହା ସହ ଅଧିକ ଉତ୍ତାପ ଦ୍ୱାରା ସୃଷ୍ଟି ହେଉଥିବା ଶରୀରର ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ପୁଷ୍ଟିସାର ଥିବା ଖାଦ୍ୟ  ଅଭାବରେ ମଧ୍ୟ ପାଟି ଘା’ ହୋଇଥାଏ। ଡିହାଇଡ୍ରେସନ୍ କାରଣରୁ ମଧ୍ୟ ଏହା ହୋଇଥାଏ। ନଡ଼ିଆ ପାଣିରେ ଅତ୍ୟାବଶ୍ୟକ ମିନେରାଲ୍ସ ଓ ଭିଟାମିନ୍ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ସୁସ୍ଥ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ନଡ଼ିଆ ପାଣି ହେଉଛି ଏକ ପୁଷ୍ଟିକର ହାଇଡ୍ରେଟିଂ ପାନୀୟ ଯାହା ଖରା ଦିନରେ ସହଜରେ ଉପଲବ୍ଧ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍ ଠାରୁ ଆରମ୍ଭ କରି ପୋଟାସିୟମ୍, ପ୍ରୋଟିନ୍ ଓ ଫାଇବର ରହିଛି।

ଏହା ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ସ ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଆପଣଙ୍କୁ ଅନେକ ରୋଗରୁ ସୁରକ୍ଷା ଦେଇପାରେ। ଏହାର ଶୀତଳ ପ୍ରଭାବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯାହାଫଳରେ ପେଟ ଗରମରୁ ମଧ୍ୟ ମୁକ୍ତି ମିଳିଥାଏ । ଖରାଦିନରେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଉତ୍ତମ ରଖିପାରେ ଓ ଶରୀରକୁ ଥଣ୍ଡା ରଖେ। ଏଥିରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ଶରୀରକୁ ଥଣ୍ଡା ରଖିବା ବ୍ୟତୀତ ପାଟି ଘା’ ଯନ୍ତ୍ରଣା ସାମ୍ନା କରିବାକୁ କ୍ଷମତା ଦେଇଥାଏ।