Odia News Portal

ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଥିଲେ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଥିଲେ । ତଥାପି କେତେକ ଜିଲ୍ଲାରେ ପଜିଟିଭିଟ୍ ରେଟ୍ ଅଧିକ ଥିବାରୁ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କାର‌୍ୟ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ବର୍ତ୍ତମାନ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର‌୍ୟ୍ୟ ସଂପର୍କରେ ସଚେନତା ସହିତ ତାର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ବିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ । ତାସହିତ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ କୋଭିଡ ନିୟମାବଳୀକୁ ଆହୁରି କଡାକଡି ଭାବରେ ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ଲହର ପାଇଁ ଗଠିତ Technical Task force committeeର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସେହିପରି ଈକ୍ଷବମଳ Black Fungus ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସେଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅକ୍ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ସିଲିଣ୍ଡର ଉପଲବ୍ଧତାରେ ଉନ୍ନତି ଘଟିଛି ବୋଲି କହିଥିଲେ ।