Odia News Portal

ଜୀବିକା ଉଜାଡ଼ି ଦେଇଛି କରୋନା

ନୂଆପଡ଼ା: ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଯିଏ ଦିନେ ମାଟିକୁ ଜୀବନ ଦେଉଥିଲା ଆଜି ତାରି ଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଛି । ତାଲାବନ୍ଦର ପ୍ରଭାବରେ ଜୀବନ ଜିବିକା ଲକ୍ ହୋଇ ଯାଇଥିବା ବେଳେ ବେଶୀ ପ୍ରଭାବିତ ହୋଇଛି କୁମ୍ଭାର ଶିଳ୍ପ । ହାଟ ବଜାର ସବୁଆଡ ବନ୍ଦ ଥିବାରୁ ମାଟି ତିଆରି ସାମଗ୍ରୀ ବିକ୍ରି ହୋଇ ପାରୁନି । ଫଳରେ ଦିଓଳି ଦିମୁଠା ଯୋଗାଡ କରିବା ଏବେ କାଠିକର ପାଠ ହୋଇଛି ଏମାନଙ୍କ ପାଇଁ । ନୂଆପଡା କୋମନା ବ୍ଲକ ଭେଳା ଗାଁ ନିକଟରେ ରହିଥିବା ଏ କୁମ୍ଭାର ପରିବାରର ଦୁଃଖ ବଖାଣିବା ବି କଷ୍ଟକର ।

ଏକରେ ଚାହିଦା କମୁଛି, ପୁଣି ତା ସାଙ୍ଗକୁ କରୋନା ମାଡ । ଲାଗୁଛି ବେଡି ଉପରେ କିଏ କୋରଡା କଷୁଛି । ପ୍ଲାଷ୍ଟିକ, ଷ୍ଟିଲ ସାମଗ୍ରୀ ଭିତରେ ପରିଚୟ ଖୋଜୁଥିବା ମାଟିପାତ୍ର ଯେମିତି ଅସହାୟ ହୋଇ ପଡିଛି । କେବଳ ବାହା, ପୁନେଇରେ ମାଟି ସାମଗ୍ରୀ ଲୋଡା ପଡୁଥିବାରୁ କୁମ୍ଭାର ଶିଳ୍ପ ବୁଡିବାକୁ ବସିଲାଣି । ତା ଉପରେ କରୋନା ଲକ୍ ଡାଉନ ଏ ପରିବାରର ମେରୁଦଣ୍ଡ ଭାଙ୍ଗି ସାରିଲାଣି । ବେପାର ପତ୍ର ନଥିବା ବେଳେ ଖାଇବା ଯୋଗାଡ ହୋଇ ପାରୁନି । ଅନ୍ୟ କିଛି କାମ ଧନ୍ଦା ବି ମିଳୁନି । ଫଳରେ ଦିବ୍ୟାଙ୍ଗ ପୁଅକୁ ସମ୍ଭାଳି ଚଳିବା ଆହୁରି କଷ୍ଟ । ଦୁଖ ଓ ଯନ୍ତ୍ରଣାରେ ପ୍ରତିଦିନ କଲବଲ ହେଉଥିବା ଏ ପରିବାର ଉପରେ ପ୍ରଶାସନର କେବେ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।