Odia News Portal

ଅଚିହ୍ନ। ପରିଚୟ ଦେଲା ନିଆରା ସମ୍ପର୍କର ଠିକଣା

ପୁରୀ: ପାଲବନ୍ଧା ଝୁମ୍ପୁଡି ଘର । ଘରେ ନିଜେ ରହିବାକୁ ଯାଗା ନାହିଁ । ତଥାପି ଜଣେ ହଜିଯାଇଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରଲୋକ ପରି ରଖିଛନ୍ତି ଜଣେ ଯୁବକ । ନାଁ ତାଙ୍କର ବିଶ୍ୱନାଥ ସାମନ୍ତରାୟ । ଘର ପୁରୀ ସହରର ବାଲି ଉପର ରାମ ଚଣ୍ଡୀ ସାହିରେ । ପେଷାରେ ବିଶ୍ୱନାଥ ଜଣେ ଅଟୋ ଚାଳକ । ଏଇ ଡଲଫିନ ଏକ୍ସପ୍ରେସ ରାସ୍ତାରେ ଗଡିଲେ ବିଶ୍ୱନାଥଙ୍କ ଘରେ ଚୁଲି ଜଳେ । କିନ୍ତୁ ଏଇ ସାଧାରଣ ଅଟୋ ଡ୍ରାଇଭର ଜଣକ ସମାଜକୁ ଯେଉଁ ବାର୍ତା ଦେଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ । ଗଲା ୩ବର୍ଷ ତଳେ କେଉଁଆଡୁ ହଜି ପୁରୀ ଚାଲି ଆସିଯାଇଥିବା ଏ ବୃଦ୍ଧାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ ବିଶ୍ୱନାଥ । ସେବେ ଠୁ ବୃଦ୍ଧା ନିଶାମଣୀ ଦାସ ପାଲଟି ଗଲେ ବିଶ୍ୱନାଥଙ୍କ ପାଇଁ ନିଜ ମା’ ଆଉ ବିଶ୍ୱନାଥ ତାଙ୍କ ପୁଅ ।

ତିନିବର୍ଷ ଧରି ମା’ ପୁଅ ଏଇ ଝୁମ୍ପୁଡି ଘରେ ଆଶ୍ରୟ ନେଇଛନ୍ତି । ହେଲେ କରୋନା କାଳରେ ରୋଜଗାର ବନ୍ଦ ହୋଇଯିବା ପରେ ଯେମିତି ଏମାନଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଛି । ଏବେ ଓଳିଏ ଖାଇଲେ ଆରଓଳି ଉପାସ ପରିସ୍ଥିତି ଉପୁଜିଛି ଏମାନଙ୍କ ପାଇଁ । ତେଣୁ ଜୀବନ ଜିବୀକା ନିଷ୍ପେଶିତ ହୋଇ ଯାଉଥିବା ବେଳେ ସାହାଯ୍ୟ ଲୋଡିଛନ୍ତି ବିଶ୍ୱନାଥ ଓ ନିଶା । ତେବେ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ଶାଖା ପକ୍ଷରୁ ଏହି ପରିବାରକୁ କିଛି ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ତେବେ ପ୍ରଶାସନ ଏହି ପରିବାରକୁ ସାହାଯ୍ୟ କରିବାକୁ ସଭିଏଁ ନିବେଦନ କରିଛନ୍ତି ।