Odia News Portal

୧୦ ବର୍ଷର ଶିଶୁକୁ ଗ୍ରାସିଛି ହସ ରୋଗ

(ଉଦଳା): ହସିବା ଶରୀର ପକ୍ଷେ ହିତକାରକ । ତେବେ ଏମିତି ଜଣେ ବାଳକ ଅଛି ଯାହାକୁ ଗ୍ରାସ କରିଛି ହସ ରୋଗ । ଯେଉଁଠି ବସୁଛି ଯେ ବସି ରହୁଛି । ଅନ୍ୟମନସ୍କ ହୋଇ ହସୁଛି ଯେ ହସୁଛି । ଭିନ୍ନ ଏକ ଯନ୍ତ୍ରଣାରେ ଜର୍ଜରିତ ଏ ହେଉଛି ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ମରାସାହିର ଜାରକା ସିଂ । ବୟସ ମାତ୍ର ୧୦ବର୍ଷ । ହସିବା ଖେଳିବା ବୟସରେ ନା ସେ ଦେଖି ପାରୁଛି, ନା କହି ପାରୁଛି ନା ଶୁଣିପାରୁଛି । ବକଟେ ନାକୁ ହୋଇଥିଲା ବାପା ଚାଲିଗଲେ । ମା ସୋମବାରୀ ପରଘରେ ମୂଲ ଲାଗି ଘର ଚଳାଉଛି । ଦି ଓଳି ଦିମୁଠା ଦାନା ଯୋଗାଡ କରିବା ଯାହା ପାଇଁ କାଠିକର ପାଠ ସେ ବା ପୁଅକୁ ବଡ ଡାକ୍ତରଖାନା ନେବ କେମିତି ? ଏଇ କଥା ଭାବି ଭାବି ସୋମବାରୀଙ୍କ ଲୁହ ବୋଲି ମାନୁନି ଯେମିତି ।

ଜଙ୍ଗଲରୁ ମହୁଲ ଫୁଲ କିମ୍ବା କାଠ ସଂଗ୍ରହ କରି ବିକିଲେ କି ପରଘରେ ପାଇଟି କଲେ ସୋମବାରୀଙ୍କ ଘର ଚଳେ । ତାରି ଭିତରେ ଅବୁଝା ପୁଅର ମୁଣ୍ଡ କୁଣ୍ଡାଇ ଦେବା, ଖୁଆଇ ଦେବା ସବୁ କରନ୍ତି ସେ । ତଥାପି ମା’ ମନରେ ଗୋଟିଏ ଦୁଃଖ । ପୁଅର ଏ ରୋଗ ଭଲ କରିବାକୁ ତାଙ୍କ ଅଂଟିରେ ସମ୍ବଳ ନାହିଁ । ସରକାରୀ ସହାୟତା କହିଲେ ରାସନକାର୍ଡରେ ମିଳୁଥିବା ୫ କିଲୋ ଚାଉଳ ଯାହା । ସୋମବାରୀଙ୍କୁ ନାମିଳୁଛି ବିଧବା ଭତା ନା ପୁଅକୁ ମିଳୁଛି ଭିନ୍ନକ୍ଷମ ଭତା । ତେବେ ଏନେଇ ସମ୍ପୃକ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅଫ୍ କ୍ୟାମେରାରେ ପ୍ରତିଶ୍ରୁତି ଦେଇଛନ୍ତି କପ୍ତିପଦା ବିଡିଓ ମହୋଦୟ ।
ଗଲା ୧୦ବର୍ଷ ହେଲା ପୁଅକୁ ଭଲ କରିବାକୁ ସଂଘର୍ଷ କରୁଛି ମା । ଏବେ ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ଆଶା କରିବା ଖୁବଶୀଘ୍ର ବିଡିଓ ନିଜ ପ୍ରତିଶ୍ରୁତି ପାଳନ କରନ୍ତୁ ଆଉ ଜଣକୁ ନୂଆ ଜୀବନ ଦେବାରେ ସହଯୋଗର ହାତ ବଢ଼ାନ୍ତୁ ।