Odia News Portal

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା: ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ଜୁଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ ନିକଟସ୍ଥ ବିଲକୁ ଶୌଚ ନିମନ୍ତେ ଯାଉଥିଲେ । ଏହି ସମୟରେ ହଠାତ୍ ଏକ ଭାଲୁ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁଟି ତାଙ୍କର ଜଙ୍ଘ ଏବଂ ବାମ ହାତକୁ ଗୁରୁତର ଭାବେ ଆକ୍ରମଣ କରିବା ସହିତ କାମୁଡି ଦେଇଥିଲା । ଏହା ସହିତ ଉପେନ୍ଦ୍ରଙ୍କୁ ମୁହଁକୁ କାମୁଡିବା ସହ ମୁହଁରୁ ମାଂସ ତାଡି ନେଇଛି ଭାଲୁ ।

ଆକ୍ରମଣରେ ଗୁରୁତର ହୋଇ ଉପେନ୍ଦ୍ର ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାଲୁଟି ଲୋକଙ୍କୁ ଦେଖି ଚାଲିଯାଇଥିଲା । ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଉପେନ୍ଦ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।