Odia News Portal

ବିଜେପି ଯୁବମୋର୍ଚ୍ଚା ବାଲେଶ୍ୱର ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କୁ ହତ୍ୟା

ଉଦଳା: ବିଚ ରାସ୍ତାରେ ମର୍ଡର । ବିଜେପି ଯୁବନେତାଙ୍କୁ ପିଟି ପିଟି ହତ୍ୟା । ଗାଡି ସାଇଡ ମରାରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ଗାଡିର ଇଣ୍ଡିକେଟର ଦେଇ ନଥିଲେ ବୋଲି ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ରଂଜିତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ଗତକାଲି ବିଳମ୍ବିତ ରାତିରେ କପ୍ତିପଦା ଥାନା ନୂଆସାହିକୁ ଆସିଥିଲେ ରଂଜିତ । ଶ୍ୱଶୁର ଘର ସାମ୍ନା ରାସ୍ତାରେ କାର ପାର୍କିଂ କରୁଥିବା ବେଳେ ହଠାତ ବାଇକରେ ଆସି ୪ଜଣ ଯୁବକ ରଂଜିତଙ୍କୁ ଆକ୍ରମଣ କରିଥିଲେ । ବିଚ ରାସ୍ତାରେ ରଂଜିତଙ୍କୁ ପିଟି ପିଟି ହତ୍ୟା କରିଥିଲେ ୪ ଜଣ ଆତତାୟୀ । ତେବେ ଗାଡି ସାଇଡ କରିବା ସମୟରେ ରଂଜିତ ଇଣ୍ଡିକେଟର ଦେଇ ନଥିବାରୁ ଏହି ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ସେହି ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉଦଳାରେ ପଂହଚିଛି ବିଜେପି ଟିମ୍ । ବାଲେଶ୍ୱର ଜିଲ୍ଲା ବିଜେପି ସଭାପତିଙ୍କ ସହ ପୂର୍ବତନ ରେମୁଣା ବିଧାୟକ ପ୍ରମୁଖ ଡାକ୍ତରଖାନାରେ ପହଂଚିବା ସହ ପରେ ପୁଲିସ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବା ଓ ଶବ ବ୍ୟବଚ୍ଛେଦ ସମୟର ଭିଡିଓଗ୍ରାଫି କରିବା ପାଇଁ ଦଳ ଦାବୀ କରିଛି । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଉଠାଇ ନେଇଛି । ତେବେ ଏବେ ବି ଆହୁରି ଜଣେ ଫେରାର ରହିଛି । ତେଣୁ ସେ ମାଷ୍ଟରମାଇଣ୍ଡ ହୋଇଥାଇ ପାରେ ବୋଲି ଭାବି ପୁଲିସ ତଦନ୍ତ କରୁଛି । ତେବେ ଏହା ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ ।