Odia News Portal

ଜଣେ ପାଣିମଣିଷର କାହାଣୀ, ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ

ଉଦଳା: କାନ୍ଧରେ ପାଣିଭାର ଧରି ଆଗକୁ ମାଡିି ଚାଲିଛନ୍ତି ଜଣେ ବୃଦ୍ଧ । ଦେହରେ ଖଣ୍ଡେ ପୁରୁଣା ଲୁଙ୍ଗି ଓ ଚିରା ଗଂଜି । ପାଦରେ ବିଟ ହୁଗୁଳି ଯାଇଥିବା ଛିଣ୍ଡା ଚପଲ ପିନ୍ଧି ପାଣି ଯୋଗାଉଥିବା ଏ ବ୍ୟକ୍ତି ହେଉଛନ୍ତି ଉଦଳାର ୱାଟରମ୍ୟାନ । ସହରର ଧାଁ ଧପଡ ଓ ଶହ ଶହ ଲୋକଙ୍କ ଭିଡ ଭିତରେ ବି ନିଜର ପରିଚୟ ହଜାଇନଥିବା ଏ ୱାଟରମ୍ୟାନଙ୍କ ନାଁ କୃଷ୍ଣଚନ୍ଦ୍ର ମହାକୁଡ । ଘର କପ୍ତିପଦା ବିଶୋଳ ପଂଚାୟତରେ । ଦି ପଇସା ରୋଜଗାର ପାଇଁ ୨୦ବର୍ଷ ବୟସରୁ ଆରମ୍ଭ କରିଥିବା ଏହି କାମ ଆଜିକୁ ଗଲା ୫୫ବର୍ଷ ହେଲା କରି ଆସୁଛନ୍ତି ସେ । ଦୁଇଟା ଟିଣ ଡ୍ରମ, ଦୁଇଟି ଲୁହାରଡ ଆଉ ଗୋଟିଏ ବାହୁଙ୍ଗୀ । ଏତିକି ତାଙ୍କର ନିଧି ସମ୍ପତି । ପୂରୁବ ଆକାଶରେ ସୂରୁଜ ଉଇଁଲେ ଝଅଟ ଝଅଟ ପାଇଟି ସାରି କୃଷ୍ଣ ବାହାରି ଯାଆନ୍ତି ସାଇକେଲରେ ଏଇ ଟିଣଡବା ଦିଇଟା ବାନ୍ଧି । ଉଦଳା ବଜାରରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ଚା ଦୋକାନ ଏମିତିକି ଯାହା ଘରେ ପାଣି ଦରକାର ପଡେ ସେ ପହଂଚାଇ ଦିଅନ୍ତି । ସେଇଥିପାଇଁ ସାରା ଉଦଳା ତାଙ୍କୁ କୁହେ କୃଷ୍ଣ ପାଣି ମଣିଷ ବା ୱାଟରମାନ ।

୫୫ ବର୍ଷ ତଳେ ସେ ଗୋଟିଏ ଭାର ପାଣିକୁ ୬ ପଇସାରେ ବିଭିନ୍ନ ସ୍ଥାନରେ ଯୋଗାଉଥିଲେ । ଏବେ ଭାର ପାଇଁ ଦଶଟଙ୍କା ନେଉଛନ୍ତି । ଏଇ ପାଣି ଯୋଗାଇ ଯୋଗାଇ ତିନି ପୁଅ, ଗୋଟିଏ ଝିଅକୁ ବଡ କରି ବାହା କରାଇଛନ୍ତି । ହେଲେ ଏବେ ପିଲାପିଲି ଯେ ଝା ରାସ୍ତାରେ ଥିବା ବେଳେ ପତ୍ନୀ ମଲୀଙ୍କ ଧରି ପାଣି ଭାର ଭରସାରେ ପରିଣତ ବୟସରେ ଏଇ ଘରେ ଜୀବନ କାଟୁଛନ୍ତି କୃଷ୍ଣ । ତେବେ ସେ ଗୋଟିଏ ଗୋଟିଏ ହୋଟେଲ ଏବଂ ଦୋକାନରେ ଆଜକୁ ୧୫ ବର୍ଷରୁ ଅଧିକ ହେବ ପାଣି ଯୋଗାଇ ଆସିଥିବା ବେଳେ ତାଙ୍କୁ ମଧ୍ୟ ସମସ୍ତେ ବେଶ୍ ଭଲ ପାଆନ୍ତି । ହେଲେ ବିଡମ୍ବନା ବାରମ୍ବାର ଆବେଦନ ପରେ ମଧ୍ୟ ତାଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ । ଯାହାଫଳରେ ଚାଳଛପର ଘର ତଳେ ଜୀବନ ବିତାଉଛନ୍ତି ଦୁଇ ପ୍ରାଣୀ । ବୟସ ୭୫ ହେଲାଣି । ଚମ ଧୁଡୁଧୁଡୁ ହେଲାଣି । ସମୟର ଧଳିଧୁସରିଆ ରାସ୍ତାରେ ତାଙ୍କ ଚେହେରା ସିନା ମଳିନ ପଡିଛି ହେଲେ ଝାଉଁଳି ନାହାଁନ୍ତି ସମସ୍ତଙ୍କର ଅତି ଆପଣାର ମଣିଷ କୃଷ୍ଣ ୱାଟରମ୍ୟାନ । କେଉଁ ଔପନ୍ୟାସିକର ଚୀରସବୁଜ ଉପନ୍ୟାସ ଠାରୁ ବି କେଉଁଗୁଣରେ କମ୍ ନୁହେଁ ଏ କାହାଣୀ । କାହାଣୀ ନୁହେଁ ତ ଏ ଗପ ହେଲେ ବି ସତ ।