Odia News Portal

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ ହୋଇଥିବାରୁ କଟକଣା ମଧ୍ୟରେ ରଜ ପାଳନ କରିବା ଲାଗି ସରକାର ପ୍ରଶାସନ ନିବେଦନ କରିଛନ୍ତି । ସେପଟେ ଆସନ୍ତାକାଲି ରଜ ଲାଗି ଗାଁ ଗାଁରେ ଲୋକେ ପାଳନ କରିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।

ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନକୁ ମିଶାଇ ତିନିଦିନ ହୋଇଥାଏ ରଜପର୍ବ । ଏହି ରଜରେ ମୁଖ୍ୟତଃ ଉତ୍ସବ ମୁଖର ହୋଇ ଉଠିଥାଏ ଗ୍ରାମାଞ୍ଚଳ । ଝିଅମାନେ ନୂଆ ପୋଷାକ ପରିଧାନ କରି ସାଙ୍ଗସାଥୀ ହୋଇ ବୁଲିଥାନ୍ତି । ରଜରେ ପିଠା,ପାନ ଓ କବାଡ଼ି ଖେଳ ସମସ୍ତଙ୍କଙ୍କ ଲାଗି ଏକ ନିଆରା ଅନୁଭୂତି । ଯିଏ ଗାଁରେ ପିଲାଦିନ ରଜ ପାଳିଛି ସେ ହିଁ ଜାଣିଛି ରଜରେ କେତେ ଖୁସିଥାଏ । ତଥାପି କଟକଣା ମଧ୍ୟରେ ଲୋକେ ଗଣପର୍ବକୁ ପାଳନ କରିବେ ।

କାଲିଠାରୁ ପିଠାପଣାରେ ମହକିବ ଘର। ଓଠରେ ହସ ,ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେବ ରଜ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ, ରଜର ତିନିଦିନଯାକ ମହିଳାମାନଙ୍କୁ କାମ କରିବା ମନା। ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ।