Odia News Portal

ପରଲୋକରେ ବର୍ଷିୟାନ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସିକ୍ରିଙ୍କ ମ୍ୟାନେଜର ତାଙ୍କର ପରଲୋକ ଘଟିଥିବା ପ୍ରକାଶ କରିଛନ୍ତି । ‘ବାଳିକା ବଧୁ’ରେ କଲ୍ୟାଣୀ ଦେବୀ ଚରିତ୍ର ତାଙ୍କ ଦେଶରେ ଘରେ ଘରେ ପରିଚିତ କରାଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ସେ ଅଭିନୟ ଜଗତ ସହିତ ଜଡିତ ଥିଲେ ।

ସୁରେଖା ୧୯୭୮ରେ ‘କିସା କୁର୍ସି କା’ ଚଳଚ୍ଚିତ୍ରରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଅଗଣିତ ହିନ୍ଦି ଓ ମାଲୟାଲମ ଚଳଚ୍ଚିତ୍ରରେ ଚରିତ୍ର ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ତାହାସହିତ ଭାରତୀୟ ଧାରାବାହିକଗୁଡିକରେ ମଧ୍ୟ ସେ କାମ କରିଛନ୍ତି । ହିନ୍ଦି ଚଳଚ୍ଚିତ୍ର ଜଗତର ଏକ ପରିଚିତ ଚେହେରା ସୁରେଖା ୧୯୮୮ରେ ତାଙ୍କ ଅଭିନୀତ ‘ତମସ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଏହାପରେ ୧୯୯୫ରେ ଶ୍ୟାମ ବେନେଗଲଙ୍କ ‘ମାମ୍ମୋ’ରେ ଅଭିନୟ ପାଇଁ ତାଙ୍କୁ ଦ୍ୱିତୀୟ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ‘ନଜର’ ଅଭିନେତ୍ରୀ ୨୦୧୮ରେ ‘ବଧାଇ ହୋ’ ପାଇଁ ତୃତୀୟ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରେ ସମ୍ମାନିତ ହୋଇଥିଲେ ।