Odia News Portal

କାଳହେଲା ଭିଡିଓ ବନେଇବା ନିଶା

ରାୟଗଡ଼ା: ସୋସିଆଲ ମିଡିଆରେ ଭିଡିଓ ବନେଇ ଲାଇକ କମେଣ୍ଟ ପାଇବା ଲାଗି ଯୁବପୀଢ଼ିଙ୍କ ମଧ୍ୟରେ ଲାଗୁଛି କଣ୍ଟେଷ୍ଟ । ତେବେ ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି କି ଭିଡିଓ ବନେଇବାକୁ ଯାଇ ପ୍ରାଣ ହରାଇଛନ୍ତି ଅନେକ ଯୁବକ ଏବଂ ଯୁବତୀ । ଏହାରିଭତରେ ନାଗାବଳୀ ନଦୀ କୂଳରେ ଅଘଟଣ ଘଟିଛି। ନଦୀରେ ବୁଡି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଧାର ଯୋଗୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ମୃତ ଯୁବକଙ୍କ ନାମ ବିଲାଲ ହଂସାରୀ। ଘର ଉତ୍ତର ପ୍ରଦେଶରେ। ରାୟଗଡ଼ା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସହଯୋଗୀ ଓ ଅନ୍ୟମାନଙ୍କୁ ପଚରା ଉଚରା କରୁଛନ୍ତି।ଆଜି ଅପରାହ୍ନରେ ବ୍ୟବସାୟୀ ବିଲାଲ ନିଜ ସହଯୋଗୀଙ୍କ ସହ ନାଗାବଳୀ ଝୁଲା ବ୍ରିଜ ବୁଲିବାକୁ ଯାଇଥିଲେ। ଝୁଲା ବ୍ରିଜ ଉପରେ ଫଟୋ ଉଠାଇବା ପରେ ନଦୀ ପଠାକୁ ଭିଡିଓ କରିବାକୁ ଯାଇଥିଲେ। ପ୍ରଥମ ଭିଡିଓ ସୁଟିଂ ପରେ ପୁଣି ଦ୍ଵିତୀୟ ଭିଡ଼ିଓ କରିବାକୁ ଇଚ୍ଛା କରି ବିଲାଲ ନଦୀ ଗର୍ଭକୁ ଯାଇଥିଲେ। ଏହି ସମୟରେ ପାଣିର ସ୍ରୋତ ବିଲାଲକୁ ଟାଣି ନେଇଥିଲା ନଦୀ ଭିତରକୁ। ଅନ୍ୟ ସହଯୋଗୀ ବିଲାଲଙ୍କୁ ବଞ୍ଚାଇବା ପାଇ ଚେଷ୍ଟା କରିଥିଲେ ମଧ୍ୟ ନଦିଗର୍ଭରୁ ଉଦ୍ଧାର କରିପାରିନଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ପ୍ରଧାନଙ୍କ ସମେତ ଏସଆଇ ମାନସ ସାହୁ, ସୌମ୍ୟରଂଜନ ପତି ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। କିନ୍ତୁ ପୁଲିସ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇନି।