Odia News Portal

ସମ୍ବିତଙ୍କ ବିରୋଧରେ ମାନହାନି ମୋକଦ୍ଦମା

କଟକ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା । ପରୀ ମାମଲାରେ ଅରୁଚିକର ବୟାନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ । ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ସମ୍ବିତ ପାତ୍ର ବିଭିନ୍ନ ଜାତୀୟ ଗଣମାଧ୍ୟମରେ କଂଗ୍ରେସର ନଅ ଜଣ ବିଧାୟକଙ୍କ ବିରୋଧରେ ଅନେକ ଅରୁଚିକର ମନ୍ତବ୍ୟ ଦେଇଥିଲେ ।କଂଗ୍ରେସ ବିଧାୟକ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ । ଏପରିକି ଏହି ଘଟଣାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାଣିଥିଲେ ।

ତେବେ ତାଙ୍କ ବିରୋଧରେ ଡିସେମ୍ବର ୭ ତାରିଖରେ ପ୍ରଥମେ ଓକିଲ ନୋଟିସ୍ ଜାରିକରିଥିଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍ ।ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିଛି । ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ । ଏହାରି ଭିତରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସମ୍ବିତ କ୍ଷମା ପ୍ରାର୍ଥନା କରିନାହାନ୍ତି । ଶେଷରେ କଂଗ୍ରେସ ବିଧାୟକ ମୋକିମ୍ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଏସଡିଜେଏମ୍ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ।