Odia News Portal

କୁବେର ଅଙ୍ଗନୱାର୍ଡି ଦିଦିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ କୁବେର ଦିଦି । ଅଙ୍ଗନୱାର୍ଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରାଜଧାନୀ ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ୟ୍ୟ କରୁଥିବା କବିତା ମଥାନଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ଟି ଦଳ ସାମିଲ ହୋଇଛନ୍ତି। ସେଥିରେ ୧୦ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଆରମ୍ଭ ହୋଇଛି। କବିତାଙ୍କର ବାପଘର କେନ୍ଦ୍ରାପଡା ଜିଲା, ଶାଶୁଘର ଜଗତସିଂହପୁର ଜିଲା ଏବଂ ଖୋର୍ଦ୍ଧା ଜିଲାର ୬ଟି ସ୍ଥାନରେ ଚଢଉ ଚାଲିଛି। ତାଙ୍କ ନାମରେ ୨ଟି ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠାଘର, ଗୋଟିଏ ଏକ ମହଲା କୋଠାଘର, ଗୋଟିଏ ଚାରିଚକିଆ ଗାଡି ଏବଂ ଗୋଟିଏ ଦୁଇଚକିଆ ଗାଡି ଏପର୍ୟ୍ୟନ୍ତ ଜବତ କରାଯାଇଛି। ତେବେ ଚଢଉ ଜାରି ରହିଥିବାରୁ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।