ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ସେହିଭଳି ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ସେହିଭଳି ମେ’ ୧୦ରେ ଭୋଟଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ରେ ଭୋଟଗଣତି ହେବ ।
ସୂଚନାଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ଯୋଜନା କରାଯାଇଥିଲା।
୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।
ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେଡିର ଦୀପାଳି ଦାସ, କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଲଢ଼େଇ ହେବ।
Sign in
Sign in
Recover your password.
A password will be e-mailed to you.
