ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦକ୍ଷେପ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମଇ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ଵରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ଜୁନ୍ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ ଟେବୁଲ୍ ଟପ୍ ଏକ୍ସରସାଇଜ ଓ ବାତ୍ୟା ମକ୍ ଡ୍ରିଲ ଅନୁଷ୍ଠିତ ହେବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି । ସେମାନେ ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ ହେବେ । ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନରେ ୧୭ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାର
କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ୧୬ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ଵରଠାରେ ଅବସ୍ଥାପିତ ଅଛନ୍ତି । ଏହି ଏନଡିଆର ଏଫ ଟିମ୍ ଓସଡମା ଏବଂ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ।
୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଛି । ଏହି ଆଶ୍ରୟସ୍ଥଳୀଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି
ଏବଂ ଲାଇଟ୍ ଓ ଜେନେରେଟରଗୁଡିକୁ ଯାଞ୍ଚ କରିବା ପାଇଁ ଓସ୍ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀମାନଙ୍କରେ ଥିବା ଟାୱାର ଲାଇଟ୍ର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଓସ୍ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଶ୍ରୟସ୍ଥଳୀମାନଙ୍କରେ ଥିବା ଶକ୍ତିଚାଳିତ କରତର କାର୍ଯ୍ୟକାରିତା ଉପରେ ଯାଞ୍ଚ କରିବା ପାଇଁ ଓସ୍ଡମାକୁ ନିର୍ଦ୍ଦେଶ ଦିଆଯାଇଅଛି ।