ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ରାଜ୍ୟର ଏହି ବରିଷ୍ଠ ଆଇଏଏସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଯାହାପରେ ଲାଞ୍ଚ ମାମଲା ନେଇ ବିଷ୍ଣୁପଦ ସେଠୀଙ୍କ ଉପରେ ସିବିଆଇର ତଦନ୍ତ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ଜାଣିରଖିବା ଉଚିତ ଯେ, ସିବିଆଇର ତଦନ୍ତ ବିରୋଧରେ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ । ଯାହାପରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ । ଆଉ ଏବେ ଏହି ମାମଲାରେ କୋର୍ଟ ବିଷ୍ଣୁପଦ ସେଠୀଙ୍କ ଆବେଦନ ଖାରଜ କରିବା ସହିତ ସିବିଆଇକୁ ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି ।
ତେବେ କିଛି ଦିନ ତଳେ ସକାଳୁ ସକାଳୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ଟେଣ୍ଡର ଫିକ୍ସିଂ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ କମ୍ପାନିକୁ ଅହେତୁକ ଅନୁକମ୍ପା, ଏହାସହିତ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବିଷ୍ଣୁପଦଙ୍କ ଘରେ ରେଡ୍ କରିଥିଲା ।
ଏହାପରେ ସିବିଆଇର ଏହି ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଥିଲେ ବିଷ୍ଣୁପଦ । ସେତେବେଳେ ସେ କହିଥିଲେ, ମୁଁ ଗତ ୩୦ ବର୍ଷ ହେଲା ଓଡ଼ିଶା ସରକାରରେ ନିଷ୍ଠାର ସହ କାମ କରିଛି । କେବେ କୌଣସି କାମରେ ଖିଲାପ କରିନି । ଏବେ ସିବିଆଇ ତାଙ୍କ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି, ସେ ସବୁକିଛି ଭିତ୍ତିହୀନ । ତାଙ୍କୁ ଅଯଥାରେ ସମସ୍ୟାରେ ପକାଇବାକୁ ଏପରି କରାଯାଉଥିବା ସେ କହିଥିଲେ । ଏହାପରେ ଏନେଇ ସେ ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟରୁ କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।