Odia News Portal

କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ: ବିଜେପି

ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ କଡ଼ା ସମାଲୋଚନା କଲା ବିଜେପି । ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରେସମିଟ୍ ଜରିଆରେ କଂଗ୍ରେସକୁ କଟାକ୍ଷ କରିଛନ୍ତି । ବିରଞ୍ଚି କହିଛନ୍ତି, ନେହେରୁଙ୍କ ସମୟରେ ବାପା ଝିଅ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ମାଆ ପୁଅ ଏବଂ ଏବେ ମାଆ, ପୁଅ, ଝିଅ ଓ ଜ୍ୱାଇଁ ଦଳ ହେଇକି ଅଛି କଂଗ୍ରେସ । ଅନ୍ୟ ସମସ୍ତେ ଆୟା ରାମ ଗୟା ରାମ । ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିଥିଲା ।

ଖାଲି ଏତିକି ନୁହେଁ ବିଜେପି ଆହୁରି ମଧ୍ୟ କହିଛି, ୧୯୭୫ ମସିହାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନର କଣ୍ଠରୋଧ କରିଥିଲା । ସେ ସମୟରେ ୫ ଥର ସମ୍ବିଧାନ ସଂଶୋଧନ କରଯାଇଛି । ୪୨ତମ ସଂଶୋଧନରେ ସମ୍ବିଧାନର ବିନା ଚର୍ଚ୍ଚା ଆଲୋଚନାରେ ମୁଖବନ୍ଧକୁ ବି ବଦଳାଇ ଦେଇଥିଲା କଂଗ୍ରେସ । ରାହୁଲ ଗାନ୍ଧୀ କ୍ୟାବିନେଟର ସଦସ୍ୟ ନଥାଇ କ୍ୟାବିନେଟ ଅଧ୍ୟାଦେଶକୁ ଚିରିକି ଫୋପାଡ଼ିଥିବା ବ୍ୟକ୍ତି ଆଉ ସେ ସମ୍ବିଧାନର କଥା କ’ଣ କହିବେ । ୧୦୦ରୁ ଊର୍ଦ୍ଧ୍ଵ ଥର ସମ୍ବିଧାନର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗି ସମ୍ବିଧାନରେ ହତ୍ୟା କରିଛି କଂଗ୍ରେସ ।

ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ଅଛି । ଓଡ଼ିଶାବାସୀଙ୍କ ଠାରୁ ଦୂରେଇ ଯାଇଛି ତେଣୁ ପ୍ରତି ନିର୍ବାଚନରେ ଭୋଟ ପ୍ରତିଶତ କମିଛି । ଦେଶରେ ସାଧାରଣ ନିର୍ବାଚନରେ ତିନି ଅଙ୍କରେ ପହଞ୍ଚି ପାରିନି କଂଗ୍ରେସ ସଂଖ୍ୟା । କଂଗ୍ରେସ ଗଣତନ୍ତ୍ରର କଥା କହିବା ଯାହା ନିଜେ କାଚ ଘରେ ଥାଇ ଅନ୍ୟକୁ ଟେକା ଫୋପାଡ଼ିବା ସହ ସମାନ । ମୋଦୀ ସରକାର ଓଡ଼ିଶାକୁ ଭରପୂର ସମର୍ଥନ କରୁଛନ୍ତି । ଖଡ଼ଗେ ମହାମହିମ ରାଷ୍ଟ୍ରପତିଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ଘୋର ନିନ୍ଦନୀୟ । ଓଡ଼ିଶା ମାଟିରେ କ୍ଷମା ପ୍ରାର୍ଥନା କରି ଖଡ଼ଗେ ପ୍ରାୟଶ୍ଚିତ କରିବା ଦରକାର । କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ ସେଥିପାଇଁ କଂଗ୍ରେସ ବଞ୍ଚାଇବାକୁ ସେମାନେ ଆସିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।