ସବୁ ଜିଲ୍ଲାରେ ହେବ ଆଦର୍ଶ ମଣ୍ଡି: ୬ ବିଭାଗର ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ By Swadhikar News Last updated Aug 14, 2025 ଧାନ ମଣ୍ଡିରେ କୃଷକମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ପ୍ରଦାନ କରାଯିବ। ଚାଷୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମସ୍ତ ଜରୁରୀ ବିପଣନ ସମ୍ବନ୍ଧିତ କାର୍ଯ୍ୟ ଉପଲବ୍ଧ ହେବ। ଫସଲ ପରବର୍ତ୍ତୀ କ୍ଷତିକୁ ସର୍ବନିମ୍ନ ସୁନିଶ୍ଚିତ କରିବା, କୃଷକର ଆୟରେ ଉନ୍ନତି ଆଣିବା, ଠିକ୍ ଓ ତ୍ବରିତ ବଜାର ସୂଚନା ପ୍ରଦାନ ଏବଂ ଅନ୍ୟାନ୍ୟ ସହଯୋଗୀ ବିଭାଗର କାର୍ଯ୍ୟକ୍ରମ, ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଆଦର୍ଶ ମଣ୍ଡି ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ଆଦର୍ଶ ମଣ୍ଡି ସ୍ଥାପନ ହେବ। ଏଥି ପାଇଁ ୩୦୦ କୋଟି ଖର୍ଚ୍ଚ ହେବ। ସମବାୟ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଦର୍ଶ ମଣ୍ଡିରେ ଧାନକିଣା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ କଂକ୍ରିଟ୍ ପିଣ୍ଡି, ଛାତ ଥିବା ପିଣ୍ଡି, ଦୀର୍ଘ ସମୟ ପାଇଁ ଉତ୍ପାଦ ସଂରକ୍ଷଣ କରିପାରୁଥିବା ବହୁମୁଖୀ ଗୋଦାମ ରହିବ। ଏହା ସହ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଓଜନ ମାପକ ସରଞ୍ଜାମ, କୃଷକ ସୁବିଧା କେନ୍ଦ୍ର, ବିଶ୍ରାମ ଓ ପରିମଳ ସୁବିଧା, ପରିବହନ ସୁବିଧା, ମହିଳା ଚାଷୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯଥା ଶିଶୁ ଯତ୍ନ କେନ୍ଦ୍ର ଓ ବିଶ୍ରାମ ଗୃହ, ଚାଷୀଙ୍କ ଉତ୍ପାଦଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଉଚ୍ଚମାନର ଯନ୍ତ୍ରପାତି, ଅନ୍ୟାନ୍ୟ କୃଷି ଉତ୍ପାଦଗୁଡ଼ିକର ସୁବିକ୍ରିବଟା ପାଇଁ ଡିଜିଟାଲ ପ୍ଲାଟଫର୍ମ, ବିକ୍ରି କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଶୀତଳୀକରଣ ପ୍ରକୋଷ୍ଠ, ଆବର୍ଜନା ପରିଚାଳନା ପ୍ରଣାଳୀ ଆଦି ବ୍ୟବସ୍ଥା ରହିବ। ଏହାସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ବସ୍ତରୀୟ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (ଏମ୍ଆର୍ଓ) ସୁବିଧା ପ୍ରତିଷ୍ଠାକୁ ସହଜ କରିବା ପାଇଁ ଶିଳ୍ପ ନୀତି,୨୦୨୨ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ରାଜ୍ୟରେ ଏବେ ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି। ଏହାବାଦ୍ ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କେନ୍ଦ୍ରୀୟ ଯୋଜନାରେ ୭ଟି ନୂଆ ନର୍ସିଂ କଲେଜ ଖୋଲିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଓଡ଼ିଶା ଅମଲା ସେବା (ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ସଂଗଠନର ଚକଲା ଓ ଏହାର ଅଧସ୍ତନ କାର୍ଯ୍ୟାଳୟ), ନିୟମାବଳୀ ୨୦୨୫କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି। Odisha cabinet newsswadhikarswadhikar news Share