Odia News Portal

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଏସସିଓ ଶିଖର ସମ୍ମିଳନୀ ପାଇଁ କଲେ ଆମନ୍ତ୍ରଣ

ଭାରତ ଗସ୍ତରେ ଆସିଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତିୟାନଜିନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପିଏମଓ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଉପରେ ଜୋର ଦେଇଥିଲେ । ଏହାସହ ସୀମା ବିବାଦର ନିରପେକ୍ଷ, ଉଚିତ୍ ଓ ପାରସ୍ପାରିକ ରୂପେ ଗ୍ରହଣୀୟ ସମାଧାନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୱାଙ୍ଗ ୟି ଭାରତରେ ନିଜ ସମକକ୍ଷ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧିଙ୍କ ୨୪ତମ ବୈଠକ ବାବାଦରେ ସକାରାତ୍ମକ ମତ ରଖିଥିଲେ । ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, ‘ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଖୁସି । ଗତ ବର୍ଷ କଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଭାରତ-ଚୀନ ସମ୍ପର୍କରେ ପରସ୍ପର ହିତ ଓ ସମ୍ୱେଦନଶୀଳତା ପ୍ରତି ସମ୍ମାନରେ ନିରନ୍ତର ପ୍ରଗତି ହୋଇଛି । ମୁଁ ସଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଆମର ପରିବର୍ତ୍ତୀ ସାକ୍ଷାତକୁ ଉତ୍ସାହ ସହ ଅପେକ୍ଷା କରିଛି । ଭାରତ ଓ ଚୀନ ମଧ୍ୟରେ ସ୍ଥିର, ବିଶ୍ୱସନୀୟ ଓ ରଚନାତ୍ମକ ସମ୍ପର୍କ କ୍ଷେତ୍ରୀୟ ଓ ବୈଶ୍ୱିକ ଶାନ୍ତି ଏବଂ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।’ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ, ଏନ୍‌ଏସ୍‌ଏ ଅଜିତ୍ ଡୋଭାଲଙ୍କ ନିମନ୍ତ୍ରଣରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏନ୍‌ଏସ୍‌ଏଙ୍କ ସହ ଭାରତ ଓ ଚୀନ ମଧ୍ୟରେ ସୀମା ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ସହ ୨୪ତମ ବାର୍ତ୍ତାର ସହ-ଅଧ୍ୟକ୍ଷତା କରିଥିଲେ । ଏହାସହ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମିଳତ ହିତର ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି ।