ଚାଲିପାରୁନି ବିଧାନସଭା: ବିଜେଡି ହୋହଲ୍ଲାରେ ଗୃହ ଅଚଳ, ସର୍ବଦଳୀୟ ବୈଠକ ବି ଡକାଯାଉନି By Swadhikar News Last updated Sep 21, 2025 ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭା ଚାଲିପାରିନି। ମାତ୍ର ୧୫ ମିନିଟ୍ରେ ଗୃହ କାର୍ଯ୍ୟ ଅଟକିଯାଇଛି। ପୂର୍ବ ଯୋଜନା ମୁତାବକ ବିଜେଡି ଗୃହକୁ ଅଚଳ କରାଇବାରେ ସକ୍ଷମ ହୋଇଛି। ଗୃହକୁ ସ୍ବାଭାବିକ କରିବା ପାଇଁ ସରକାରୀ ଦଳ ପଟୁ ମଧ୍ୟ ଉଦ୍ୟମ ହେଉ ନାହିଁ। ସର୍ବଦଳୀୟ ବୈଠକ ଡକାଯାଇ ବାଟ ବାହାର କରାଯାଉନି। ଫଳରେ କଂଗ୍ରେସ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍ର ଭାଗ୍ୟ ଲଟକିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରି ସ୍ବର୍ଗତ ତିର୍କିଙ୍କ ସ୍ମୃତିଚାରଣ କରିଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ଶୋକବ୍ୟକ୍ତ କଲା ପରେ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ସଙ୍ଗେ ସଙ୍ଗେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସାରର ଅଭାବ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ଲାକାର୍ଡ ଓ ବ୍ୟାନର୍ ପ୍ରଦର୍ଶନ କଲେ। ସେମାନଙ୍କ ନାରାବାଜିରେ ଗୃହ କମ୍ପିଥିଲା। କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ରହିଲେ। ବିଜେଡି ସଭ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ନିବେଦନ କରିଥିଲେ ବି ସେମାନେ ଶୁଣି ନଥିଲେ। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୪ଟା ବେଳେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପୁଣି ହୋହଲ୍ଲା କରିଥିଲେ। ସେମାନଙ୍କ ନାରାବାଜିରେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନଥିଲା। ମାତ୍ର ତିନି ମିନିଟ୍ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଧାନସଭା ଆସୁନାହାନ୍ତି। ସେଥି ପାଇଁ ବିଜେଡି ଗୃହକୁ ଅଚଳ କରୁଛି। ଆମେ ସବୁପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ। ବିଧାନସଭା ବିଧିବ୍ୟବସ୍ଥା ଭିତରେ ଚାଲେ। ଅନାସ୍ଥା ହେଉ କି ସାର ପ୍ରସଙ୍ଗ, ସରକାର କେଉଁଥିରେ ଅଡ଼ୁଆରେ ନାହାନ୍ତି। assemblyswadhikarswadhikar news Share