Odia News Portal

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ମୋହନଲାଲଙ୍କୁ ଦାଦା ସାହେବ ଫାଲ୍‌କେ

 ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲୟାଲମ ସୁପରଷ୍ଟାର୍‌ ମୋହନଲାଲଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରିଛନ୍ତି। ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି। ୧୯୭୮ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ମୋହନଲାଲ ୪ ଦଶକର କ୍ୟାରିୟରରେ ୪୦୦ରୁ ଅଧିକ ସିନେମାରେ କାର୍ଯ୍ୟ କରିଛନ୍ତି। ଏଥିସହିତ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଶାହରୁଖଙ୍କୁ ‘ଯୱାନ’ ଏବଂ ବିକ୍ରାନ୍ତଙ୍କୁ ‘12th ଫେଲ୍‌’ ସିନେମା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି। ରାଣୀଙ୍କୁ ‘ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। ଶାହରୁଖ, ବିକ୍ରାନ୍ତ ଏବଂ ରାଣୀଙ୍କ ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଯୱାନ ସିନେମାର ‘ଚଲେୟା’ ଗୀତ ପାଇଁ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିଛି। ତେଲୁଗୁ ସିନେମା ବେବିର ଗୀତ ‘ପ୍ରେମିସ୍ତୁନା’ ପାଇଁ ପି ଭି ଏନ୍‌ ଏସ୍‌ ରୋହିତଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ମିଳିଛି। ସେହିପରି ରକି ଔର ରାନି କୀ ପ୍ରେମ୍‌ କାହାନିର ‘ଡିଣ୍ଡୋରା ବାଜେ ରେ’ ଗୀତ ପାଇଁ ବୈଭବୀ ମର୍ଚ୍ଚାଣ୍ଟଙ୍କୁ ଶ୍ରେଷ୍ଠ ନୃତ୍ୟନିର୍ଦ୍ଦେଶନା ପୁରସ୍କାର ମିଳିଛି। ହିନ୍ଦୀ ସିନେମା ଦି କେରଳ ଷ୍ଟୋରି ପାଇଁ ସୁଦିପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶ ପୁରସ୍କାର ଦିଆଯାଇଛି।