Odia News Portal

କଟକ ଭସାଣି ‌ଉତ୍ସବରେ ନୂଆ ଇତିହାସ: ଶୋଭାଯାତ୍ରାରେ ୪ ଶହ ମହିଳା

ଚଳିତ ବର୍ଷ ପ୍ରଥମ ଥର କଟକର ଐତିହାସିକ ଦଶହରା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା। ଦୁଇଟି ପୂଜା କମିଟି ବିଡ଼ାନାସୀ ଓ ନାୟକସାହିର ଚାରି ଶହରୁ ଅଧିକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହେବା ସହିତ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।ଏତେ ସଂଖ୍ୟକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଯିବାର ଦୃଶ୍ୟ ସହରବାସୀଙ୍କୁ ବି ଆଶ୍ଚର୍ଯ୍ୟ ଚକିତ କରିଛି। ମହିଳାମାନେ ଶୋଭାଯାତ୍ରାରେ ଆସିବା ଦ୍ବାରା ଯୁବକମାନେ ଅଧିକ ଶୃଙ୍ଖଳିତ ଢଙ୍ଗରେ ଭସାଣି ଶୋଭାଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ମହିଳାମାନଙ୍କୁ ଶୋଭାଯାତ୍ରାରେ ସାମିଲ ‌କରି ଶୋଭାଯାତ୍ରାର ନେତୃତ୍ବ ପୂଜା କମିଟି ସଭାପତି ସଂପାଦକ ଶିବେନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ସାହୁ, ଉପସଭାପତି ବିଜୟ ସେଠୀ, କର୍ମକର୍ତ୍ତା ଉମେଶ ବେହେରା, ଦିଲ୍ଲୀପ ବେହେରା, ନାରାୟଣ ମୁଦୁଲି, ଗୋପାଳ ମିଶ୍ର, ଅଜୟ ସେନାପତି ପ୍ରମୁଖ ନେଇଥିଲେ। ସେହିଭଳି ନାୟକ ସାହି ପୂଜା କମିଟି ସଂପାଦକ ଦୀପକ କୁମାର ଦାଶ କହିଛନ୍ତି ଯେ  ଆୟୋଜିତ କାର୍ଯ୍ୟକ୍ରମ ପରେ ପରେ ଆମେ ସାହିରେ ଆଲୋଚନା କରି ଏଥିପାଇଁ ଯୋଜନା କରିଥିଲୁ। ଏଥିରେ ଆଜି ଯେଉଁ ମହିଳାମାନେ ସାମିଲ ହୋଇଥିଲେ ସମସ୍ତଙ୍କୁ ଉତ୍ତରୀୟ ଓ ଫୁଲହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆମେ ମହିଳାମାନଙ୍କୁ ବକ୍ସିବଜାର ଛକରୁ ଫେରିଯିବାକୁ କହିବାରୁ ସେମାନେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ପୂଜା କମିଟିର ସଭାପତି ଅମିତାଭ ନାୟକ, ଉପସଭାପତି ବିଜୟ ମହାପାତ୍ର, କୋଷାଧ୍ୟକ୍ଷ ରାକେଶ ମହାରଣା, ଆଇନଜୀବୀ ରାଧାରମଣ ଦାସନାୟକ, ଅଧିକାରୀ ଅଶୋକ ଦାସ, ମହନ୍ତ ନିର୍ମଳ ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଦଶହରା ପୂର୍ବରୁ ତିନି ସପ୍ତାହ ଧରି କେବଳ ମହିଳାମାନଙ୍କୁ ନେଇ ଆୟୋଜନ ହୋଇଥିବା  ନିଆରା କୁଇଜ୍‌ କାର୍ଯ୍ୟକ୍ରମରେ ୯୭ଟି  ପୂଜା କମିଟିର ୧ ହଜାରରୁ ଅଧିକ ମହିଳା ଭା‌ଗ ନେଇଥିଲେ। ସେପ୍ଟେମ୍ବର ୨୬ରେ ସାରଳା ଭବନରେ ଅନୁଷ୍ଠିତ ଗ୍ରାଣ୍ଡ୍‌ ଫାଇନାଲ୍‌ରେ ୧୭ଟି ପୂଜା କମିଟିର ୩ଶହରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ।