Odia News Portal

ରେଡ୍ ଜୋନ୍‌ ଘୋଷଣା ହେଲା ଶ୍ରୀମନ୍ଦିର : ଆସନ୍ତୁ ଜାଣିବା ରେଡ୍ ଜୋନ୍‌ କ’ଣ?

ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳକୁ ରେଡ୍ ଜୋନ୍‌ ଘୋଷଣା କରିଛି ଦେଶର ସର୍ବୋଚ୍ଚ ବିମାନ ପରିଚାଳନା ନିୟନ୍ତ୍ରକ ସଂସ୍ଥା ‘ଡିଜିସିଏ’। ଏଣିକି ଶ୍ରୀମନ୍ଦିର ପରିଧି ଅନ୍ତର୍ଗତ ଆକାଶ ସୀମାରେ ବିମାନ, ଡ୍ରୋନ୍‌ କିମ୍ବା କୌଣସି ଉଡ଼ାଣ ଯନ୍ତ୍ର ବିନା ଅନୁମତିରେ ଉଡ଼ିପାରିବ ନାହିଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ଭାରତର ଅନ୍ୟତମ ପବିତ୍ର ଧାମ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳ। କେନ୍ଦ୍ର ବେସମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହାକୁ ‘ରେଡ୍ ଜୋନ୍‌’ ଭାବେ ଘୋଷଣା କରିବା ଦ୍ବାରା ଉଭୟ ଶ୍ରୀମନ୍ଦିର ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ରେଡ୍‌ ଜୋନ୍ ହେଉଛି ସେହି ଅଞ୍ଚଳ ଯେଉଁଠି ଡ୍ରୋନ୍‌ ଏବଂ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ନିଷିଦ୍ଧ ଥାଏ। ଅର୍ଥାତ୍‌ ରେଡ୍‌ ଜୋନ୍ ଅଞ୍ଚଳରେ ଡିଜିସିଏ ଓ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ବିନା ଅନୁମତିରେ କୌଣସି ଉଡ଼ାଣ କରାଗଲେ ତାହା ଗୁରୁତର ଅପରାଧ ଭାବେ ବିବେଚନା କରାଯିବ। ସାଧାରଣତଃ ଦେଶର ମହତ୍ତ୍ୱପୂର୍ଣ୍ଣ ଧାର୍ମିକସ୍ଥଳ, ସେନା ଶିବିର, ସରକାରୀ ସଂସ୍ଥା କିମ୍ବା ଉଚ୍ଚ ସୁରକ୍ଷା ଅଞ୍ଚଳ ପାଇଁ ରେଡ୍ ଜୋନ୍‌ ଘୋଷିତ ହୁଏ। ଡିଜିସିଏର ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌, ବିମାନ ଉଡ଼ିବା ଏବେ ପୂରାପୂରି ନିଷିଦ୍ଧ ହେଲା। ଏହା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଆଉ କେହି ଡ୍ରୋନ୍‌ ଦ୍ୱାରା ମନ୍ଦିର ଆଭ୍ୟନ୍ତର କିମ୍ବା ଶିଖର ଭାଗର ଚିତ୍ର ଉତ୍ତୋଳନ କରି ପାରିବେ ନାହିଁ। ଫଳରେ ମହାପ୍ରଭୁଙ୍କ ପୂଜା ପଦ୍ଧତି ଓ ଗୁପ୍ତ ସଂରଚନା ବିଧିର ଗୋପନୀୟତା ବଳବତ୍ତର ରହିବ। କେବଳ ସେତିକି ନୁହେଁ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଡ୍ରୋନ୍‌ କିମ୍ବା ଅନ୍ୟ ଉଡ଼ାଣ ଯନ୍ତ୍ର ଦ୍ୱାରା ଆତଙ୍କୀ କାର୍ଯ୍ୟକଳାପ, ଅସୁବିଧା, ଦୁର୍ଘଟଣା ସମ୍ଭାବନା ଆଦିକୁ ଏଡ଼ାଇ ଦିଆଯାଇପାରିବ। ଶ୍ରୀମନ୍ଦିର ପରିସୀମା ଅଞ୍ଚଳରେ ପୁରୀ ପୁଲିସ ଉଚ୍ଚ କ୍ଷମତାଯୁକ୍ତ ସିସିଟିଭି, ଜାମର୍‌ ଲଗାଇ ଡିଜିସିଏ ସହ ଯୋଗସୂତ୍ରରେ ରହିବ। ରେଡ୍‌ ଜୋନ୍‌ରେ କେହି ଉଡ଼ାଣ କରିବାକୁ ଚେଷ୍ଟା କଲେ ଡିଜିସିଏ ଆଇନ ଅନୁସାରେ ଅର୍ଥଦଣ୍ଡ ଓ ଜେଲ୍ଦଣ୍ଡର ପ୍ରାବଧାନ ରହିଛି। ଆବଶ୍ୟକ ସ୍ଥଳେ ସୁରକ୍ଷା ଏଜେନ୍ସି ସେହି ଡ୍ରୋନ୍‌ କିମ୍ବା ଯନ୍ତ୍ରକୁ ଜବତ କରିବା ସହ ଧ୍ୱଂସ ମଧ୍ୟ କରିପାରିବ। ଡିଜିସିଏର ଏହି ନିଷ୍ପତ୍ତିକୁ ପୁରୀବାସୀ ସ୍ବାଗତ କରିବା ସହ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଏକ ଐତିହାସିକ ପଦ‌କ୍ଷେପ ବୋଲି କହିଛନ୍ତି।