Odia News Portal

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାର ପୁନଃ ଉନ୍ନତୀକରଣର ପ୍ରସ୍ତାବିତ ଡିଜାଇନ୍‌ ଓ ମାଷ୍ଟରପ୍ଲାନ୍‌ର ସମୀକ୍ଷା କରାଯାଇଛି। ଇନ୍ଦ୍ରଦ୍ୟୁମ୍ନ ଓ ନୃସିଂହ ମନ୍ଦିରର ଉନ୍ନତୀକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରକଳ୍ପ ସାଂସ୍କୃତିକ ସବ୍‌କମିଟି ଏବଂ ପ୍ରକଳ୍ପ ବୈଷୟିକ ସବ୍‌କମିଟି ଯୁଗ୍ମ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ବୈଠକର ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିର ଭିତର ପାର୍ଶ୍ବରେ ସମସ୍ତ ଲୁହା ବାଡ଼କୁ ଅପସାରଣ କରି ପିତଳ ବାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହି ପଦକ୍ଷେପ ସ୍ବରୂପ ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପାର୍ଶ୍ବ, ବେହରଣ ଦ୍ବାର ପାଖରେ ଲୁହାବାଡ଼ ହଟାଇ ପିତଳବାଡ଼ ଲଗାଯାଇସାରିଛି। ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ଆଲୋକୀକରଣ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ଆସିଥିବା ବେଳେ ଏହାକୁ ସବ୍‌କମିଟି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ଦିର, ଜଗମୋହନ, ଗର୍ଭଗୃହ, ନାଟମଣ୍ଡପ‌ ଓ ଭୋଗ ମଣ୍ଡପକୁ ଛାଡ଼ି ଆନନ୍ଦ ବଜାର, ପାର୍ଶ୍ବବର୍ତ୍ତୀ ମନ୍ଦିର, ମେଘନାଦ ପାଚେରି, କୂର୍ମ ବେଢ଼ାକୁ ଆଧୁନିକ ଢଙ୍ଗରେ ଆଲୋକୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ସହ ଆଲୋଚନା କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ପଛ ପାର୍ଶ୍ବରେ ସଜଡ଼ା ହେଉଥିବା ଜମିରେ ନୂଆ ଭକ୍ତ ନିବାସ ସ୍ଥାପନ ପାଇଁ ପ୍ରସ୍ତାବ ଅଣାଯାଇଥିଲା। ତାକୁ ସବ୍‌କିମିଟି ଅନୁମୋଦ କରିଛି। ଅବଢ଼ା‌ ଯୋଜନାରେ ଏହାକୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।ଏଥିସହ ନିର୍ମିତ‌ ହେବ ଶ୍ରୀମନ୍ଦିର ଅନ୍ନକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ଉତ୍ତରପାର୍ଶ୍ବରେ ଏହା ସ୍ଥାପନ ହେବ। ଏଥିସହ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପାର୍ଶ୍ବରେ ୭୫ ମିଟର ପରିଧି ବାହାରେ ହୋମ ଯଜ୍ଞ ପ୍ରକଳ୍ପ ଏବଂ ଶ୍ରୀମନ୍ଦିର ନାମଯଜ୍ଞ ପ୍ରକଳ୍ପ ନିର୍ମିତ ହେବ। ଏ ଦିଗରେ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରକ୍ଷଣାବେକ୍ଷଣ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।
ଏହି ଅବସରରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତୀକରଣ, ପ୍ରସ୍ତାବିତ ପ୍ରମୋଦ ଉଦ୍ୟାନ ପ୍ରକଳ୍ପର ଡିଜାଇନ ଓ ମାଷ୍ଟର ପ୍ଲାନର ସମୀକ୍ଷା କରାଯାଇଥିଲା। ଭୂମି ଓ ଅନଧିକାର ପ୍ରବେଶ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଶ୍ରୀମାର୍ଗର ଉନ୍ନତୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା ହୋଇଛି। ମାଟିତୋଟାରେ ଥିବା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳର ଡିଜାଇନ୍‌ ଓ ମାଷ୍ଟର ପ୍ଲାନର ସମୀକ୍ଷା କରାଯାଇଛି। ଏଠାରେ ଭୂମି ଓ ଅନଧିକାର ପ୍ରବେଶ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ପ୍ରସ୍ତାବିତ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ରର ଡିଜାଇନ୍‌ ଓ ମାଷ୍ଟର ପ୍ଲାନ୍‌ର ସମୀକ୍ଷା କରାଯାଇଛି। ଏମାର ମଠଠାରେ ପ୍ରସ୍ତାବିତ ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ଡିଜାଇନ ଓ ମାଷ୍ଟର ପ୍ଲାନ୍‌ର ସମୀକ୍ଷା କରାଯାଇଛି। ନରେନ୍ଦ୍ର ମହଲା ଓ ବାଗେଡ଼ିଆ ଧର୍ମଶାଳା ପରିସରରେ ପ୍ରସ୍ତାବିତ ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ନିର୍ମାଣର ଡିଜାଇନ ଓ ମାଷ୍ଟର ପ୍ଲାନର ସମୀକ୍ଷା କରାଯାଇଛି। ହରଚଣ୍ଡୀ ସାହିସ୍ଥିତ ପ୍ରସ୍ତାବିତ ଶ୍ରୀମନ୍ଦିର ସେବକ ବାସଗୃହ ପ୍ରକଳ୍ପର ଡିଜାଇନ ଓ ମାଷ୍ଟର ପ୍ଲାନର ସମୀକ୍ଷା କରାଯାଇଛି। ଏଠାରେ ମଧ୍ୟ ଭୂମି ଓ ଅନଧିକାର ପ୍ରବେଶ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଡ. ଗିରୀଶ ଚନ୍ଦ୍ର ମୁର୍ମୁ, ଶ୍ରୀମନ୍ଦିର ଉପମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଓ ଓବିସିସି ଅଧିକାରୀମାନେ ଉପସ୍ଥିତ ଥିଲେ।