ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଜୋରଦାର ଛାତ୍ର ଆନ୍ଦୋଳନ ହୋଇଥିଲା । ଏଥିରେ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । ହସିନାଙ୍କ ବିରୋଧରେ ହତ୍ୟା, ନିର୍ଯାତନା, ଷଡଯନ୍ତ୍ର ଓ ମାନବତା ବିରୋଧରେ ଅପରାଧ ରୋକିବାରେ ବିଫଳ ନେଇ ୫ଟି ମୁଖ୍ୟ ଅଭିଯୋଗ ରହିଛି । ହାସିନା ବାଂଲାଦେଶ ଛାଡି ଏବେ ଭାରତରେ ଆଶ୍ରୟ ନେଇଛନ୍ତି ।ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେବାର ରାୟ ଦେବା ପୂର୍ବରୁ କୋର୍ଟ ୫୪ଜଣ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଶୁଣିଥିଲେ । ଉକ୍ତ ସାକ୍ଷ୍ୟ ଶେଖ୍ ହସିନା କରିଥିବା ଅପରାଧକୁ ପ୍ରମାଣ କରିବାରେ ଯଥେଷ୍ଟ ବୋଲି କୋର୍ଟ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସାରା ଦେଶରୁ ସଂଗୃହୀତ ପ୍ରମାଣ ଏବଂ ବିଭିନ୍ନ ଉତ୍ସରୁ ମିଳିଥିବା ଅତିରିକ୍ତ ପ୍ରମାଣ ମଧ୍ୟ ଯାଞ୍ଚ କରାଯାଇଥିଲା। ଶୁଣାଣି ସମୟରେ ICTର ମୁଖ୍ୟ ବିଚାରପତି କହିଥିଲେ ଯେ, ଶେଖ୍ ହସିନା ପ୍ରତିବାଦକାରୀ ଛାତ୍ର ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ସାକ୍ଷୀଙ୍କଠାରୁ ରେକର୍ଡ କରାଯାଇଥିବା ସାକ୍ଷ୍ୟରୁ ଜଣାପଡ଼ିଛି ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି।
