ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ। ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲା ବିଜେଡି ସେତେବେଳେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ସେ କେବଳ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରିଥିଲେ, ତାହା ନୁହେଁ, ବରଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଠିକ୍ ହୋଇନାହିଁ ବୋଲି କହିଥିଲେ। ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହିଥିଲେ। ଏପରିକି ଯେଉଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିଲା, ତାଙ୍କୁ ବି ଛାଡ଼ି ନଥିଲେ ଦେବାଶିଷ ସାମନ୍ତରାୟ।
