Odia News Portal

ସରଗରମ ଧର୍ମଶାଳା ରାଜନୀତି: ଜେନାପୁର ଥାନା ଘେରିଲେ ବିଧାୟକଙ୍କ ସମର୍ଥକ

ରବିବାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ମୁହାଁମୁହିଁ ହେବା ଘଟଣାରେ ସରଗରମ ହୋଇଛି ଧର୍ମଶାଳା ରାଜନୀତି। ଉଭୟ ଦଳର ନେତା ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏ ନେଇ ଯାଜପୁରରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ବିଧାୟକ ଶ୍ରୀ ସାହୁଙ୍କ ସମର୍ଥକ ସୁନିଲ ପଣ୍ଡାଙ୍କ ପରିବାର ପକ୍ଷରୁ ଜେନାପୁର ଥାନାରେ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା।  ବହୁ ସମୟ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାନଯିବାରୁ ଗତକାଲି ବିଳମ୍ବିତ ରାତିରେ ଶହଶହ ସଂଖ୍ୟାରେ ବିଜେପି କର୍ମୀ, ମହିଳା ଓ ସ୍ଥାନୀୟ ଗ୍ରାମବାସୀ ଜେନାପୁର ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ। ବିଧାୟକ ଶ୍ରୀ ସାହୁ ଏକ ଭିଡିଓ ବାର୍ତ୍ତାରେ ପନ୍ତୁରୀଠାରେ ଘଟିଥିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ବିଜେଡି ପ୍ରାୟୋଜିତ ବୋଲି ସେ କହିଛନ୍ତି। ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେବା ଏବଂ ଧର୍ମଶାଳା ବିକାଶପଥରେ ଆଗେଇ ଚାଲିଥିବାରୁ ପୂର୍ବତନ ବିଧାୟକ ଓ ବିଜେଡି ଧର୍ମଶାଳାରେ ଅଶାନ୍ତିର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାରେ ଯିଏ ବି ଦୋଷୀ ହୋଇଥିବେ, ଆଇନ ଅନୁଯାୟୀ ପୁଲିସ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଯାଜପୁର ଏସ୍‌ପିଙ୍କୁ କହିଥିବା ଶ୍ରୀ ସାହୁ ଜଣାଇଛନ୍ତି। ରାଜ୍ୟର ଅନ୍ୟ କେଉଁଠି ଅଶାନ୍ତି ହେଉ ନଥିବା ବେଳେ ଧର୍ମଶାଳାରେ ଘଟୁଥିବା ସବୁ ଘଟଣାକୁ ରଜେନୈତିକ ରୂପ ଦିଆଯାଉଛି। ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ସୁଯୋଗ ଦେଖି ରାଜନୈତିକ ରୁଟି ସେକୁଥିବା ସେ ଅଭିଯୋଗ କରିଛନ୍ତି।  ଅନ୍ୟପଟେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଠାରେ ଗତକାଲି ରାତିରୁ ବିଜେଡିର ବହୁ ବରିଷ୍ଠ ନେତା ଓ ଶ୍ରୀ ବଳବନ୍ତରାୟଙ୍କ ଶତାଧିକ ସମର୍ଥକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି। ବିଧାୟକ ହିମାଂଶୁ ସାହୁଙ୍କୁ ଗିରଫ କରିବାକୁ ବିଜେଡ଼ି ତୁଙ୍ଗ ନେତା ଓ କର୍ମୀମାନେ ଧାରଣାରେ ବସିଛନ୍ତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହିତ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସବର୍ମା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଏକ୍ସ ଆକାଉଣ୍ଟରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି। ପୁଲିସ ପ୍ରଶାସନ ଓ ସରକାର ଏହି ଘଟଣାରେ ନିରବ ରହିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଭଳି ଅରାଜକତା ଓ ଗୁଣ୍ଡାରାଜକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ବୋଲି କହିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ପ୍ରକାଶ ଯେ, ଜେନାପୁର ଥାନା ପନ୍ତୁରୀସ୍ଥିତ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ତାଙ୍କର କିଛି ସମର୍ଥକ ଗତକାଲି ଭୋଜିର ଆୟୋଜନ କରିଥିଲେ।  ବିଧାୟକ ଶ୍ରୀ ସାହୁଙ୍କ ଦୁଇଜଣ ସମର୍ଥକ ସୁନିଲ ପଣ୍ଡା ଓ ନିଗମାନନ୍ଦ ଦାଶ ଏକ ଗାଡ଼ିରେ ସେହିବାଟ ଦେଇ ଫେରିବା ସମୟରେ ଉଭୟପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ସୁନିଲ ଓ ନିଗମାନନ୍ଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ସେହିପରି ଫାର୍ମହାଉସରେ ଭଙ୍ଗାରୁଜା ସହିତ ତାଙ୍କର ସମର୍ଥକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଛନ୍ତି ।