ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି। ଦୁଇଦିନ ତଳେ ପାଟକୁରାରୁ ବିଜେଡିର କିଛି ନେତା ଓ କର୍ମୀ ନବୀନ ନିବାସ ଆସି ଅରବିନ୍ଦଙ୍କ ନିଲମ୍ବନକୁ ସ୍ବାଗତ କରି ନବୀନଙ୍କୁ ଧନ୍ୟବାଦ ଦେଇଥିଲେ। ଆଜି ଭିନ୍ନ ଢଙ୍ଗରେ ତାହାର ଜବାବ ରଖିଛନ୍ତି ଅରବିନ୍ଦଙ୍କ ସମର୍ଥକ। ପାଟକୁରାରୁ ଶହ ଶହ ସଂଖ୍ୟାରେ ସମର୍ଥକ ଭୁବନେଶ୍ବର ଆସି ଶଙ୍ଖ ଭବନ ଘେରାଉ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଶଙ୍ଖ ଭବନ ଓ ନବୀନ ନିବାସରେ ପୁଲିସ ଛାଉଣି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।ଆଜି ଅପରାହ୍ଣରେ ଅରବିନ୍ଦଙ୍କ ସମର୍ଥକମାନେ ଶଙ୍ଖ ଭବନ ନିକଟରେ ଏକାଠି ହୋଇଥିଲେ। ସେଠାରେ ସେମାନେ ଅରବିନ୍ଦଙ୍କ ନିଲମ୍ବନ ବିରୋଧରେ ନାରାବାଜି କରିଥିଲେ। ଅଘଟଣ ଆଶଙ୍କାରେ ଶଙ୍ଖ ଭବନ ଫାଟକ ବନ୍ଦ କରିଦିଆଯାଇଥିଲା। ସମର୍ଥକମାନେ ଗଣମାଧ୍ୟମକୁ କହିଥିଲେ, ବିଧାୟକ କି ଦୁର୍ନୀତି ଓ ବିଶ୍ବାସଘାତକତା କରିଛନ୍ତି, ତାହାର ପ୍ରମାଣ ଦେବାକୁ ପଡ଼ିବ। ବିଧାୟକଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରାଯାଇ ତାଙ୍କୁ ବଦନାମ କରାଯାଉଛି। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି। ଦଳ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ।ଏହି ସମୟରେ ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରତାପ ଜେନା ଶଙ୍ଖ ଭବନ ଭିତରେ ଉପସ୍ଥିତ ଥିଲେ। ବହୁତ ସମୟ ଧରି ସମର୍ଥକମାନେ ବାହାରେ ହୋହଲ୍ଲା କରିବାରୁ ଏହି ଦୁଇ ନେତା ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ନ ଥିଲା। ଦଳର ଶୃଙ୍ଖଳା ମାନିବା ଓ ଦାବି ସଂପର୍କରେ ସଭାପତିଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେମାନେ ଜଣାଇଥିଲେ। କୌଣସି ପ୍ରତିଶ୍ରୁତି ନ ପାଇବାରୁ ଅରବିନ୍ଦଙ୍କ ସମର୍ଥକ ଶଙ୍ଖ ଭବନ ବାହାରକୁ ଆସି ନବୀନ ନିବାସ ଆଡ଼କୁ ମୁହାଁଇଥିଲେ। ମାତ୍ର ପୁଲିସ ସେମାନଙ୍କୁ ଅଟକାଇଥିଲା। କିଛି ସମୟ ଅପେକ୍ଷା କରିବା ପରେ ନବୀନ ନିବାସରୁ ସେମାନଙ୍କୁ ଆଲୋଚନା ପାଇଁ କୌଣସି ଡାକରା ନ ଆସିବାରୁ ସମର୍ଥକମାନେ ଫେରି ଯାଇଥିଲେ। ଅତୀତରେ ବହୁ ନେତା ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବନକୁ ନେଇ ସେମାନଙ୍କ ସମର୍ଥକଙ୍କ ଭିତରେ ଭୀଷଣ ଅସନ୍ତୋଷ ଥାଏ। ମାତ୍ର ବିଜେଡି କ୍ଷମତାରେ ଥିବାରୁ ଦଳ ନାଲି ଆଖି ଦେଖାଇ କିମ୍ବା ପ୍ରଲୋଭନ ଜରିଆରେ ଅସନ୍ତୋଷକୁ ଚାପି ରଖିବାରେ ସମର୍ଥ ହେଉଥିଲା। ମାତ୍ର କ୍ଷମତାରୁ ଯିବା ପରେ ପ୍ରଥମଥର ଏଭଳି ଏକ ନିଲମ୍ବନକୁ ନେଇ ବିଜେଡି ହଟହଟାର ଶିକାର ହୋଇଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।
