ଅଚଳ କରିଦେଲେ ବ୍ୟାଙ୍କ: ଓଡ଼ିଶାରେ ୧୦ ହଜାର କୋଟିର କାରବାର ଠପ୍, ରାଜ୍ୟରେ ୫ ଦିନ ହେଲା ବନ୍ଦ ରହିଛି ବ୍ୟାଙ୍କ By Swadhikar News Last updated Jan 28, 2026 ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଅଧୀନରେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏଥିରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ୮ ଲକ୍ଷରୁ ଅଧିକ ତଥା ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଧର୍ମଘଟରେ ଯୋଗ ଦେଇଛନ୍ତି। ଧର୍ମଘଟ ପ୍ରଭାବରେ ଓଡ଼ିଶା ସମେତ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଗ୍ରାମ୍ୟବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କିଛି ଘରୋଇ ବ୍ୟାଙ୍କ ଏହି ଧର୍ମଘଟକୁ ସମର୍ଥନ ଦେଇଛନ୍ତି। ଆନ୍ଦୋଳନରତ କର୍ମଚାରୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ଖୋଲାଥିବା ଘରୋଇ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଶାଖାକୁ ବନ୍ଦ କରିଛନ୍ତି। ଫଳରେ ବ୍ୟାଙ୍କ ସେବା ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବ୍ୟାଙ୍କ ଶାଖାଗୁଡ଼ିକ ସାମନାରେ କର୍ମଚାରୀମାନେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ ୟୁଏଫ୍ବିୟୁ ଓଡ଼ିଶା ଶାଖାର ଆବାହକ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ଚେକ୍ କ୍ଲିୟରିଂ ଓ ନଗଦ କାରବାର ହୋଇପାରିନାହିଁ। ରାଜ୍ୟରେ ୩୫୦୦ରୁ ଅଧିକ ବ୍ୟାଙ୍କ ଶାଖା ରହିଥିବା ବେଳେ ସେଥିରୁ ପ୍ରାୟ ୧୭୦୦ ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା। ସେହି ଶାଖାଗୁଡ଼ିକ ବନ୍ଦ ରହିଛି। ଆଜିର ଧର୍ମଘଟକୁ ମିଶାଇଲେ ଓଡ଼ିଶାରେ ଗତ ୨୩ ତାରିଖ (ଶୁକ୍ରବାର)ଠାରୁ ୫ ଦିନ ହେଲା ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ୨୩ରେ ସରସ୍ବତୀ ପୂଜା, ୨୪ରେ ଚତୁର୍ଥ ଶନିବାର, ୨୫ରେ ରବିବାର, ୨୬ରେ ସାଧାରଣତନ୍ତ୍ର ଦିବସ ପାଇଁ ବ୍ୟାଙ୍କ ଛୁଟିଥିଲା। ୨୭ରେ ଧର୍ମଘଟ କାରଣରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି। ଏଥିସହିତ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ମଧ୍ୟ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ଲଗାତାର ୫ ଦିନ ଧରି ବ୍ୟାଙ୍କ ସେବା ବନ୍ଦ ଫଳରେ ଓଡ଼ିଶାରେ ଜରୁରୀ ବ୍ୟାଙ୍କିଂ ସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଅସୁବିଧାରେ ପଡ଼ିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ୨୦୧୫ରୁ ଦୀର୍ଘ ୧୦ ବର୍ଷ ଧରି ଆମେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଆସୁଛୁ। ଏପର୍ଯ୍ୟନ୍ତ ସରକାର ଗ୍ରହଣ କରୁନଥିବାରୁ ଆମେ ଦିନିକିଆ ଧର୍ମଘଟ କରିଛୁ। ଏଥର ଯଦି ଦାବି ପୂରଣ ନହେବ ତେବେ ଆଗକୁ ଆମେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରିବୁ। swadhikarswadhikar news Share