ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ, ନୂଆବୋହୂ ପରି ସଜେଇ ହେଉଛି ଉପେକ୍ଷିତ ତୀର୍ଥକ୍ଷେତ୍ର By Swadhikar News Last updated Jan 31, 2026 ପାଖାପାଖି ୧୨୫ କୋଟି ଟଙ୍କାର ବିରଜା ପରିକ୍ରମା ପ୍ରକଳ୍ପ କାମ ଜାରି ରହିଥିଲେ କେବେଠାରୁ ସରନ୍ତାଣି। କିନ୍ତୁ ବିଜେଡି ସରକାର ଆରମ୍ଭ କରିଥିବା ଏହି କାମ ରାଜ୍ୟରେ ବିଜେପି ସରକାର ଆସିବା ପରଠୁଁ ଉପେକ୍ଷିତ ଅବସ୍ଥାରେ ରହିଥିଲା। ସେବାୟତଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ଗଣମାଧ୍ୟମରେ ଚାରମ୍ବାର ପ୍ରକଳ୍ପ କାମ ସାରିବାକୁ ଦାବି କରାଯାଇଥିଲେ ମଧ୍ୟ ସରକାର ଏ ବାବଦରେ ଅବଗତ ଅଛି, ତୁରନ୍ତ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳୁଥିଲା। କିନ୍ତୁ ହଠାତ ଦୁଇଦିନ ହେବ ବିରଜା ମନ୍ଦିର ପ୍ରତି ଯାଜପୁର ଜିଲ୍ଲା ପ୍ରଶାସନର ଆତ୍ମୀୟତା ଜାଗି ଉଠିଛି।ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯାଜପୁର ଗସ୍ତରେ ଆସି ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛି। ଏଥିପାଇଁ କେବଳ ମା’ ବିରଜାଙ୍କ ମନ୍ଦିର ନୁହେଁ ବରଂ ଅବହେଳିତ ସ୍ଥିତିରେ ଥିବା ଯାଜପୁର ସହରର ମୁଖ୍ୟ ରାସ୍ତାଘାଟଗୁଡ଼ିକ ସଜଡ଼ାଯାଉଛି। ଦିନରାତି ରାସ୍ତା ମରାମତି ଓ ଅଳିଆ ଉଠା କାମରେ ଶ୍ରମିକ ଲାଗିଛନ୍ତି। ସେହିପରି ବିରଜା ମନ୍ଦିରକୁ ନୂଆ ରୂପ ଦିଆଯାଉଛି। ମଳିନ ପଡ଼ି ଆସିଥିବା ମା’ଙ୍କ ମନ୍ଦିରରେ ରଙ୍ଗ କରାଯାଉଛି ପଲସ୍ତରା ଉଠିଯାଇଥିବା ସ୍ଥଳରେ ଯାହିତାହି ସିମେଣ୍ଟ ଦେଇ ତା’ଉପରେ ରଙ୍ଗ ବୋଳାଯାଉଛି ସେଠାରୁ ଅନାବଶ୍ୟକ ଜିନିଷଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଫୁଲକୁଣ୍ଡ ରଖି ଅସ୍ଥାୟୀ ଫୁଲଚଗିଚା ସୃଷ୍ଟି କରାଯାଉଛି। ମନ୍ଦିର ପରିସରରେ ଜଳୁନଥିବା ଲାଇଟଗୁଡ଼ିକୁ ମଧ୍ୟ ମରାମତି କରାଯାଉଛି। ଏନେଇ ମନ୍ଦିରର ଜଣେ ବରିଷ୍ଠ ସେବାୟତ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଏହା ଯାଜପୁରକୁ ପ୍ରଥମ ଗସ୍ତ। ମା’ ବିରଜାଙ୍କୁ ପ୍ରଥମ ଦର୍ଶନ ହେବ। ଏହା ପୂର୍ବରୁ ଅନ୍ୟ କେହି ରାଷ୍ଟ୍ରପତି ମା’ଙ୍କ ଦର୍ଶନ କିମ୍ବା ଏଠାରେ ପିଣ୍ଡଦାନ ନିମନ୍ତେ କେବେ ଆସିନଥିଲେ ମହାମହିମ ସେଦିନ ଏଠାରେ ଥିବା ନାଭିଗୟାରେ ପିଣ୍ଡଦାନ କରିବେ ନିଜ ଆତ୍ମୀୟଙ୍କୁ ପିଣ୍ଡଦାନ ପାଇଁ ଭାରତବର୍ଷରେ ରହିଥିବା ପ୍ରମୁଖ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରୁ ଯାଜପୁରର ନାଭିଗୟା ଅନନ୍ୟ। ତେଣୁ ମହାମହିମ ରାଷ୍ଟ୍ରପତି ଏଠାକୁ ପିଣ୍ଡଦାନ କରିବାକୁ ଆସୁଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘଦିନ ଧରି ମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଏହି ତୀର୍ଥକ୍ଷେତ୍ରକୁ ଉପେକ୍ଷିତ କରାଯାଇଥିଲା। ମାତ୍ର ଯେବେଠୁଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଦିନଧାର୍ଯ୍ୟ ହେଲା, ସେବେଠୁ ମା’ଙ୍କ ମନ୍ଦିରରେ ସାଜସଜ୍ଜା ଆରମ୍ଭ ହୋଇଯାଇଛି। swadhikarswadhikar news Share