ଓଡ଼ିଶାକୁ ୧.୨୦ ଲକ୍ଷ କୋଟି: ପୂର୍ବବର୍ଷ ତୁଳନାରେ ୧୪ ହଜାର କୋଟି ଅଧିକ By Swadhikar News Last updated Feb 2, 2026 ୨୦୨୬-୨୭ କେନ୍ଦ୍ର ବଜେଟ ଆଜି ଘୋଷଣା ହେବା ପରେ ଓଡ଼ିଶାକୁ କେତେ ମିଳିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅର୍ଥ ଆୟୋଗ ସୁପାରିସ, କେନ୍ଦ୍ରୀୟ ଅନୁଦାନ ଓ ସ୍ବତନ୍ତ୍ର ଯୋଜନା ବାବଦରେ ଚଳିତ ବଜେଟରୁ ଓଡ଼ିଶାକୁ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି। ନିର୍ମଳା ଆଜି ତାଙ୍କ ବଜେଟରେ ଷୋଡ଼ଶ ଅର୍ଥ ଆୟୋଗ ସୁପାରିସ ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସ ଓ ଶୁଳ୍କରୁ ୪୧ ପ୍ରତିଶତ ଅର୍ଥ ଆବଣ୍ଟନ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୬-୨୭ରେ ଏ ବାବଦରେ ଓଡ଼ିଶାକୁ ୬୭,୪୬୦.୪୬ କୋଟି ଟଙ୍କା ମିଳିବ ବୋଲି ବଜେଟରେ ଦର୍ଶାଯାଇଛି। ୨୦୨୫-୨୬ ତୁଳନାରେ ଏହା ୩୦୫୨ କୋଟି ଟଙ୍କା ଅଧିକ। ଆସନ୍ତା ଆର୍ଥିକବର୍ଷ ପାଇଁ ମୋଟ ୬୭,୪୬୦.୪୬ କୋଟିର ଟିକସ ଓ ଶୁଳ୍କରୁ ରାଜ୍ୟକୁ ଆୟକର ବାବଦରେ ସର୍ବାଧିକ ୨୪,୦୦୭.୩୭ କୋଟି ଟଙ୍କା ଦିଆଯାଇଛି। ଏଥିସହିତ କମ୍ପାନି ଟିକସରୁ ୧୯,୮୦୩.୧୫ କୋଟି, ଜିଏସ୍ଟିରୁ ୧୮,୪୫୦ କୋଟି, ସୀମା ଶୁଳ୍କରୁ ୩୫୯୯.୨୨ କୋଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ୧୫୩୩.୨୭ କୋଟି, ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ ୬୭.୦୫ କୋଟି ଟଙ୍କା ମିଳିବ। ୨୮ଟି ରାଜ୍ୟକୁ ପ୍ରଦାନ କରାଯାଇଥିବା ଅର୍ଥ ମଧ୍ୟରୁ ଓଡ଼ିଶାକୁ ବଜେଟରେ ୪.୪୨୦ ପ୍ରତିଶତ ମିଳିଛି। ଗତ ବଜେଟରେ ଏ ବାବଦରେ ଓଡ଼ିଶାକୁ ୪.୫୨୮ ପ୍ରତିଶତ ଅର୍ଥ ମିଳିଥିଲା। ଅନେକ ରାଜ୍ୟ ୫୦ ପ୍ରତିଶତ କେନ୍ଦ୍ରୀୟ ଶୁଳ୍କ ଓ ଟିକସ ପାଇବା ପାଇଁ ଅର୍ଥ ଆୟୋଗ ନିକଟରେ ଦାବି ରଖିଥିଲେ ମଧ୍ୟ ଆୟୋଗ ତାହା ଶୁଣି ନାହାନ୍ତି। ପୂର୍ବଭଳି ରାଜ୍ୟଗୁଡ଼ିକୁ ୪୧ ପ୍ରତିଶତ ଅର୍ଥ ହସ୍ତାନ୍ତର ପାଇଁ ସୁପାରିସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ବଜେଟରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦରେ ମିଳିଥିବା ୬୪,୪୦୮.୨୭ କୋଟି ବ୍ୟତୀତ କେନ୍ଦ୍ରୀୟ ଅନୁଦାନ ବାବଦରେ ୪୧,୫୯୧.୭୩ କୋଟି ଟଙ୍କା ମିଳିଥିଲା। ତେଣୁ କେନ୍ଦ୍ରଠାରୁ ରାଜ୍ୟ ସରକାର ୨୦୨୫-୨୬ରେ ମୋଟ ୧ ଲକ୍ଷ ୬ ହଜାର କୋଟି ଟଙ୍କା ପାଇଥିଲେ। ୨୦୨୪-୨୫ରେ ଓଡ଼ିଶାକୁ କେନ୍ଦ୍ରରୁ ପ୍ରାୟ ୮୯ ହଜାର କୋଟି ଟଙ୍କା ମିଳିଥିଲା। ସେଥିରେ କେନ୍ଦ୍ରୀୟ ଟିକସ ଓ ଶୁଳ୍କରୁ ୫୫,୨୩୧.୭୬ କୋଟି ଓ ଅନୁଦାନରୁ ୩୩,୭୬୮.୨୪ କୋଟି ଟଙ୍କା ଆସିଥିଲା। ୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ଓଡ଼ିଶାକୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଅଧିକ ମିଳିଥିଲା।ଅନୁଦାନ ବାବଦରେ ପ୍ରାୟ ୨୩ ପ୍ରତିଶତ ଅଧିକ ପାଇଥିଲା ଓଡ଼ିଶା। ତେଣୁ ୨୦୨୬-୨୭ରେ ଯଦି ଅନୁଦାନ ଆକାରରେ ୨୦ ପ୍ରତିଶତ ଅଧିକ ମିଳେ, ତାହାହେଲେ ଓଡ଼ିଶା ପାଖାପାଖି ୮ ହଜାର କୋଟି ଅର୍ଥାତ୍ ପ୍ରାୟ ୫୦ ହଜାର କୋଟି ଅନୁଦାନ ଆକାରରେ ପାଇବ। ତେଣୁ କେନ୍ଦ୍ରୀୟ ଟିକସ ଓ ଅନୁଦାନରୁ ଓଡ଼ିଶାକୁ ୧.୧୭ ଲକ୍ଷ କୋଟି ଟଙ୍କା ମିଳିବ। ଏହା ବ୍ୟତୀତ ଓଡ଼ିଶା ପାଇଁ ନିର୍ଦ୍ଦିଷ୍ଟ ଭାବେ ୩ଟି ଠୋସ୍ ଯୋଜନା ବଜେଟରେ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା ଜାତୀୟ ଜଳମାର୍ଗ-୫ର କାର୍ଯ୍ୟକ୍ଷମ, କଇଁଛ ଚଳାଚଳ କରୁଥିବା ଉପକୂଳ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଟର୍ଟଲ୍ ଟ୍ରେଲ୍ ଓ ରେୟାର ଆର୍ଥ କରିଡର। ଯଦିଓ ଏସବୁ ଯୋଜନାର ବ୍ୟୟବରାଦ ନେଇ ନିର୍ଦ୍ଦିଷ୍ଟ କିଛି ସୂଚନା ମିଳିନାହିଁ, ତଥାପି ଓଡ଼ିଶାକୁ ଏ ବାବଦରେ ପାଖାପାଖି ୩ ହଜାର କୋଟି ଟଙ୍କା ଆସନ୍ତା ଆର୍ଥିକ ବର୍ଷରେ ମିଳିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଏସବୁ ମିଶାଇଲେ ଚଳିତବର୍ଷ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ପାଇବା ଆଶା ଉଜ୍ଜୀବିତ ହୋଇଛି। swadhikarswadhikar news Share