ହାତୀଙ୍କ କବଜାରେ ରାଜପଥ ଓ ରେଳପଥ By Swadhikar News Last updated Feb 13, 2026 ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଜି ସକାଳେ ହାତୀପଲ ଦେଖାଦେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଥିଲା। କେତେକ ହାତୀ ରାସ୍ତା ପାର୍ ହୋଇ ଆରପଟକୁ ଯାଇଥିବାବେଳେ ଆଉ କିଛି ଲୋକଙ୍କ ଭିଡ଼ ଯୋଗୁ ରାସ୍ତା ପାଖରେ ଅଟକି ଯାଇଥିଲେ। ହାତୀ ଯୋଗୁ ରାଜପଥରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। ତେବେ ଆଜି ଭାରତବନ୍ଦ ଥିବାରୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇନଥିଲା। ବନ ବିଭାଗ ସେମାନଙ୍କୁ ଘଉଡ଼ାଇବା ପରେ ସ୍ଥିତି ସ୍ବାଭାବିକ ହୋଇଛି।ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ୨୨ଟି ହାତୀ ପଞ୍ଚଧାର ପଟୁ ଆସି ୧୦ ନମ୍ବର ରାଜ୍ୟ ରାଜପଥ ଅତିକ୍ରମ କରୁଥିଲେ। ୧୬ଟି ହାତୀ ରାସ୍ତା ପାର୍ କରି ଯାଇଥିବାବେଳେ ଦିନ ହୋଇଯିବାରୁ ୬ଟି ହାତୀ ଥାନା ନିକଟରେ ରହି ଯାଇଥିଲେ। ହାତୀଙ୍କୁ ଦେଖିବା ପାଇଁ ସେଠାରେ ଭିଡ଼ ହୋଇଥିଲା। କିଏ ଘର ଛାତ ଉପରେ ତ କିଏ ଡମ୍ପର ଉପରେ ଚଢ଼ି ଦେଖଣାହାରୀ ସାଜିଥିଲେ। ଏହି ଗହଳି ଯୋଗୁ ହାତୀମାନେ ଭୟଭୀତ ହୋଇ ଆଉ ରାସ୍ତା ଅତିକ୍ରମ କରି ପାରିନଥିଲେ। ବନ କର୍ମଚାରୀମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ଗହଳି ଭାଙ୍ଗିବା ପରେ ଦିନ ପ୍ରାୟ ୧୨ଟା ବେଳେ ବନ କର୍ମଚାରୀଙ୍କ ଉଦ୍ୟମରେ ଅଟକିଥିବା ୬ଟି ହାତୀ ରାଜ୍ୟ ରାଜପଥ ପାର୍ ହୋଇ ଚୁନିପଡ଼ା ନିକଟ ଜଙ୍ଗଲକୁ ଚାଲିଯାଇଥିଲେ। ଏହି ହାତୀପଲ ମଧ୍ୟରେ ଗୋଟିଏ ଛୁଆହାତୀ ରହିଥିଲା। ଶେଷ ଖବର ମୁତାବକ ପଛରେ ରାସ୍ତା ପାର୍ ହୋଇଥିବା ୬ ହାତୀଙ୍କ ମଧ୍ୟରୁ ୨ଟି ପୁଣି ରାସ୍ତା ପାଖକୁ ଫେରି ଆସିବା ଫଳରେ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଛି। ପୁଲିସ ଓ ବନ ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି। swadhikarswadhikar news Share