ଗଞ୍ଜାମଜିଲ୍ଲା ଭଞ୍ଜନଗର ଥାନା ଅଧିନ ସାର୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ପିଟି ପିଟି ଗୁରୁତର କରିଦେଇଥିବା ଅଭିଯୋଗ ହୋଇଛି। ଶନିବାର ସକାଳ ସମୟରେ ଉକ୍ତ ଯୁବକ ଜଣଙ୍କ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି।ପ୍ରାଥମିକ ତଦନ୍ତରୁ ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କୁରୁମୁଙ୍ଗିଆ ଗ୍ରାମର ବାନଧର ପ୍ରଧାନ ବୋଲି ଜଣାପଡିଛି।ପୁଲିସ ଏନେଇ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ପ୍ରମୁଖ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କୁ ନେଇ ଗଠିତ ହୋଇଥିବା ଏକାଧିକ ଟିମ ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଉକ୍ତ ଗ୍ରାମକୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ଅଭିଯୋଗ ହୋଇଛି। ଏହି ସମୟରେ କିଛି ଲୋକ ରାତିରେ ଉଠିପଡ଼ି ଯୁବକ ମାନେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଏହାପରେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।ଏହାପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତ ଯୁବକଙ୍କୁ ମେଡିକାଲ ଆଣି ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ସମୟରେ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ଯୁବକଙ୍କ ଗୋଡ଼ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ପ୍ରବଳ ଆଘାତ ଲାଗିଥିବା ଜଣାପଡିଛି। ତେଣୁ ଯୁବକ ଜଣଙ୍କ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।ଏନେଇ ଏଏସପି ରଞ୍ଜନ କୁମାର ଦେ କହିଛନ୍ତି ଯେ, ଯୁବକ ଜଣକ କେଉଁଭଳି ପରିସ୍ଥିତିରେ ଆହତ ହୋଇ ମୃତ୍ୟୁବରଣ କଲେ ତାହାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଏହାପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
