Odia News Portal

କାଞ୍ଜିଆ ଖଣିରେ 14 ଶହ କେଜିରୁ ଅଧିକ ସୁନା : ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା

ମୟୁରଭଞ୍ଜ ମାଟି ତଳେ ରହିଛି କ୍ୱିଣ୍ଟାଲରୁ ଅଧିକ ସୁନା । ସେହିପରି କେନ୍ଦୁଝରରେ ବି ୧୫୦ ହେକ୍ଟର ଜମି ତଳେ ସୁନା ଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ସୁନାଖଣି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି !

ଓଡ଼ିଶାରେ ସୁନାଖଣିର ଭଣ୍ଡାର । ମୟୂରଭଞ୍ଜ ଜିଲ୍ଲାର ମଦନସାହି କାଞ୍ଜିଆ ଖଣିରୁ ମିଳିଛି ସୁନା ସନ୍ଧାନ । କାଞ୍ଜିଆ ଖଣିରେ ରହିଛି 1462 କେଜି 730 ଗ୍ରାମ ସୁନା ଓ କପର । ଜିଏସଆଇ ଦ୍ୱାରା ଜି-2 ସର୍ଭେ ପରେ ଏହା ଜଣାପଡ଼ିଛି । ବିଧାୟକ ସଞ୍ଜଳି ମୁର୍ମୁଙ୍କୁ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଏହା ବାଦ ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଅଞ୍ଚଳରେ ସୁନା ଥିବା ସନ୍ଧାନ ମିଳିଛି । ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ବିଭିନ୍ନ ସ୍ଥାନରେ ସୁନା ଥିବା ଅନୁମାନ କରାଯାଉଛି ।

ଏସବୁ ଜିଲ୍ଲାରେ ସୁନାର ଅନୁସନ୍ଧାନ:

  • କେନ୍ଦୁଝର- ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା,
  • ମୟୂରଭଞ୍ଜ- ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମ ପାହାଡ ଅଞ୍ଚଳ
  • ସୁନ୍ଦରଗଡ – ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା
  • କୋରାପୁଟ- ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର,
  • ମାଲକାନଗିରି – ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ,
  • ଅନୁଗୋଳ- ମାଙ୍କଡଚୁଆଁ, ଟିକିର, ସୋମାକୋଇ
  • ବୌଦ୍ଧ-କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ
  • ସମ୍ବଲପୁର – କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ
  • ଦେବଗଡ- ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନା ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି