ଅର୍ଥନୈତିକ ସର୍ଭେ ରିପୋର୍ଟ: ଜାତୀୟ ହାରକୁ ଅତିକ୍ରମ କଲା ଓଡ଼ିଶାର ବୃଦ୍ଧି ହାର By Swadhikar News Last updated Feb 19, 2026 ଆସନ୍ତାକାଲି(ଶୁକ୍ରବାର) ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ । ଏହା ପୂର୍ବରୁ ଆଜି ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ 2025-26ର ଅର୍ଥନୈତିକ ସର୍ଭେ ରିପୋର୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରକୁ ଅତିକ୍ରମ କରିବା ସହିତ କିପରି ସ୍ଥିର ଓ କ୍ଷିପ୍ର ବୃଦ୍ଧି ପଥରେ ଅଗ୍ରସର ହେଉଥିବା ଚିତ୍ର ଦେଖିବାକୁ ମିଳିଛି । କୃଷି, ଶିଳ୍ପ, ସେବା, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ତଥ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି ।ରାଜ୍ୟର ମୁଣ୍ଡ ପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ସହ ୧,୮୬,୭୬୧କୁ ପହଞ୍ଚିଛି । ଜାତୀୟ ହାର ୬.୯ ପ୍ରତିଶତ ଥିବାବେଳେ ଓଡ଼ିଶାର ଆୟ ବୃଦ୍ଧି ହାର ଅଧିକ ରହିଛି । ସେହିପରି ୧୫ ବର୍ଷ ଊର୍ଦ୍ଧ୍ୱ ଜନସଂଖ୍ୟା ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୨୨ର ୫୮.୧ ପ୍ରତିଶତରୁ ୨୦୨୪ରେ ୬୪.୫ ପ୍ରତିଶତକୁ ବଢ଼ିଛି । ବିଶେଷକରି ମହିଳାଙ୍କ ଅଂଶଗ୍ରହଣ ୩୭.୬ ପ୍ରତିଶତରୁ ବୃଦ୍ଧି ପାଇ ୪୮.୭ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରକୁ ଅତିକ୍ରମ କରିଛି ।ରାଜ୍ୟ ଅର୍ଥନୀତିରେ କୃଷି ଓ ସହଯୋଗୀ କ୍ଷେତ୍ରର ଅବଦାନ ୧୯.୬ ପ୍ରତିଶତ । ଏହି କ୍ଷେତ୍ରର ବୃଦ୍ଧି ହାର ୫.୩ ପ୍ରତିଶତ, ଯାହା ଜାତୀୟ ହାର ଠାରୁ ଅଧିକ । ୨୦୨୪–୨୫ରେ ଖାଦ୍ୟଶସ୍ୟ ଉତ୍ପାଦନ ୧୫୦.୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ଧାନ ଉତ୍ପାଦନ ବୃଦ୍ଧି ସହ ୯୨.୬ ଲକ୍ଷ ମେଟ୍ରିକ ଟନ ଧାନ ସରକାର କ୍ରୟ କରିଛି । ପ୍ରାୟ ୨୦ ଲକ୍ଷ ଚାଷୀଙ୍କୁ ୨୧,୩୦୦ କୋଟି ଏମଏସପି ଓ ୭,୧୪୦ କୋଟି ଇନପୁଟ୍ ସହାୟତା ଦିଆଯାଇଛି । ସରକାରୀ କ୍ରୟ ମୋଟ ଉତ୍ପାଦନର ୭୮ ପ୍ରତିଶତକୁ ଆବରଣ କରିଛି । ମାଣ୍ଡିଆ କ୍ରୟରେ ମଧ୍ୟ ଦୁଇଗୁଣା ବୃଦ୍ଧି ହୋଇଛି । ଜଳସେଚନ ସୁବିଧା ୭୪.୨ ଲକ୍ଷ ହେକ୍ଟରକୁ ବିସ୍ତାରିତ ହୋଇଥିବାବେଳେ ଚାଷ ଘନତା ୧୬୫ ପ୍ରତିଶତକୁ ବଢ଼ିଛି ।ଦୁଗ୍ଧ ଉତ୍ପାଦନ ୨୭.୧ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଅଣ୍ଡା ଉତ୍ପାଦନ ୪୦୬ କୋଟିକୁ ବଢ଼ିଥିବାବେଳେ ମତ୍ସ୍ୟ ଉତ୍ପାଦନ ୧୧.୯୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ସାମୁଦ୍ରିକ ପଣ୍ୟ ରପ୍ତାନିରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି । swadhikarswadhikar news Share