Odia News Portal

ବିନା ସିମ୍‌ରେ ଚାଲିବନି ହ୍ବାଟସ୍‌ଆପ୍‌

ଗୁରୁବାର ଦିନ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ରହିଥିବା ମହଲତକୁ ବଢ଼ାଯିବନାହିଁ। ନୂତନ ନିୟମ ଅନୁଯାୟୀ ମୋବାଇଲ୍ ଫୋନରେ ସିମ୍ କାର୍ଡ ନଥିଲେ ହ୍ୱାଟ୍‌ସଆପ୍, ଟେଲିଗ୍ରାମ୍‌, ସିଗ୍‌ନାଲ୍‌, ସ୍ନାପ୍‌ଚାଟ୍, ସେୟାରଚାଟ୍, ଜିଓଚାଟ୍, ଆରଟଇ ଓ ଜୋସ୍‌ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ। ଆସନ୍ତା ମାର୍ଚ୍ଚ ୧ରୁ ଏହି ନିୟମ ଲାଗୁ ହେବ। ଯେଉଁମାନେ କମ୍ପ୍ୟୁଟର୍‌ରେ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟ୍‌ ପ୍ରତି ଛଅ ଘଣ୍ଟାରେ ଥରେ ଲଗ୍‌ ଆଉଟ୍‌ ହେବ। ସାଇବର୍‌ ଠକେଇର ମୁକାବିଲା ଲାଗି ସରକାର ଏହି କଠୋର ନିୟମ ଆଣିଛନ୍ତି।ବର୍ତ୍ତମାନ ଫୋନ୍‌ରୁ ସିମ୍‌ ବାହାର କରିଦେବା ପରେ ବି ହ୍ବାଟ୍‌ସଆପ୍‌ ଚାଲୁଛି। ଆଗକୁ ତାହା ସମ୍ଭବ ହେବନାହିଁ। ଫୋନ୍‌ରେ ସିମ୍‌ କାର୍ଡ ନଥିଲେ ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌ ସକ୍ରିୟ ହୋଇପାରିବନି। ଏବେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (ଓଟିପି) ଜରିଆରେ ହ୍ବାଟସ୍‌ଆପ୍‌ରେ ଲଗ୍‌ ଇନ୍‌ ସମ୍ଭବ ହେଉଛି। ସିମ୍‌ ବାଇଣ୍ଡିଂ ନିୟମ ଲାଗୁ ହେବା ପରେ ସେହି ସୁବିଧା ମିଳିବନାହିଁ। ନୂଆ ନିୟମ ଅଧୀନରେ କମ୍ପାନିଗୁଡ଼ିକୁ ନିୟମ ପାଳନ ସମ୍ପର୍କରେ ୧୨୦ ଦିନରେ ରିପୋର୍ଟ ଦେବାକୁ ପଡ଼ିବ। ନିୟମ ଉଲ୍ଲଂଘନ ଟେଲିଯୋଗାଯୋଗ ଆଇନ ୨୦୨୩, ଟେଲିକମ୍‌ ସାଇବର୍‌ ସୁରକ୍ଷା ନିୟମ ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିମ୍ ବାଇଣ୍ଡିଂ ହେଉଛି ଏକ ସୁରକ୍ଷା ବ୍ୟବସ୍ଥା। ଏହା ଆପଣଙ୍କ ମେସେଜିଂ ଆପ୍‌କୁ ଫୋନ୍‌ରେ ଥିବା ସିମ୍‌ ସହିତ ଲକ୍‌ କରିଦେବ। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ଆପଣଙ୍କ ନମ୍ବର ବ୍ୟବହାର କରିପାରିବେ ନାହିଁ। ଥରେ ସିମ୍‌ ବାଇଣ୍ଡିଂ ହେବା ପରେ ଫୋନ୍‌ରେ ପଞ୍ଜୀକୃତ ସିମ୍‌ କାର୍ଡ ଥିଲେ ହିଁ ଆପ୍‌ ଖୋଲିବ।କେନ୍ଦ୍ର ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ବର୍ତ୍ତମାନ ନିୟମ ପାଳନ ପାଇଁ ସମୟସୀମା ବୃଦ୍ଧି କରିବାର କୌଣସି ଯୋଜନା ନାହିଁ। ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ଓ ଠକେଇ ରୋକିବା ପାଇଁ ଏହି ନିୟମଗୁଡ଼ିକ ଲାଗୁ କରାଯାଇଛି ଏବଂ ସରକାର ସୁରକ୍ଷା ପ୍ରସଙ୍ଗରେ କୌଣସି ସାଲିସ କରିବେ ନାହିଁ। ତେବେ ଶିଳ୍ପ ସଂଘ ଆଇଏଏମ୍‌ଏଆଇ ଏହି ନିୟମକୁ ନେଇ ସତର୍କ କରାଇଛି। ଏହା କହିଛି ଯେ ପ୍ରତି ଛଅ ଘଣ୍ଟାରେ ଆକାଉଣ୍ଟ୍‌ ଲଗ୍‌ ଆଉଟ୍‌ ନିୟମ ବୃତ୍ତିଗତ ଓ ସମାନ ଆକାଉଣ୍ଟ୍‌କୁ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ।