ଜଣେ ସେବକଙ୍କ ଶାଢ଼ୀବନ୍ଧା ଆଦେଶ ପ୍ରତ୍ୟାହାର ପାଇଁ ନୋଟିସ୍ । ବିଶୃଙ୍ଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ । ଗତ ୨୮ ଫେବୃଆରୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଙ୍ଖଳ ଆଚରଣ ଅଭିଯୋଗରେ ତିନି ଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି ।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି । ସେହିପରି ଶ୍ରୀ ମାଧବ ଖୁଣ୍ଟିଆ ଓ ଶ୍ରୀ ମଧୁସୂଦନ ଖୁଣ୍ଟିଆ ମଧ୍ୟ ସେବା ସମ୍ପାଦନରେ ବାଧା ସୃଷ୍ଟି କରି ବିଶୃଂଖଳା ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଛି ।ଉକ୍ତ ତିନି ଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଶ୍ରୀ ରାମକୃଷ୍ଣ ଖୁଣ୍ଟିଆଙ୍କ ବିରୋଧରେ ଜାରି ହୋଇଥିବା ଶାଢ଼ୀବନ୍ଧା ଆଦେଶ କାହିଁକି ପ୍ରତ୍ୟାହାର କରାଯିବ ନାହିଁ, ସେ ବିଷୟରେ ସନ୍ତୋଷଜନକ ଉତ୍ତର ଦେବା ପାଇଁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ର ସୂଚନା ଲୋକ ସମ୍ପର୍କ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମକୁ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି ।ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ଅଧିକାଂଶ ସେବକଙ୍କ ସହଯୋଗ ଓ ସମନ୍ୱୟରେ ସେବାପୂଜା ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇଆସୁଥିବା ବେଳେ କିଛି ସେବକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଉଲ୍ଲେଖ କରିଛନ୍ତି । ବିଶୃଙ୍ଖଳ ଆଚରଣ ପ୍ରତି ଶ୍ରୀମନ୍ଦିର ଆଇନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସଚେତନ କରାଇଛନ୍ତି । ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ ସହଯୋଗ ଓ ସମନ୍ୱୟ ରକ୍ଷା କରୁଥିବା ସମସ୍ତ ସେବକଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି ।
