ଖରସ୍ରୋତା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ। ଅଳ୍ପକେ ବଞ୍ଚିଗଲା ଜୀବନ। ବୁଧବାର ସନ୍ଧ୍ୟାରେ ଆଳି ଥାନା କଟକ ଚାନ୍ଦବାଲି ରାସ୍ତାର ବାଳକାଟି ସ୍ଥିତ ଆଳି ଓ ରାଜକନିକା ବ୍ଲକକୁ ସଂଯୋଗ କରୁଥିବା ଗଡ଼ଗଡି ସେତୁ ଉପରୁ ଜଣେ ଯୁବତୀ ଭରା ନଈକୁ ଡେଇଁ ପଡ଼ିଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଳି ଥାନା ବାଳକାଟୀ ପଞ୍ଚାୟତର ଜଣେ ୨୧ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ବୁଧବାର ସନ୍ଧ୍ୟାରେ ଗଡ଼ଗଡି ସେତୁ ଉପରେ ପହଞ୍ଚିଥିଲେ। କେହି କିଛି ଜାଣିବା ପୂର୍ବରୁ ହଠାତ୍ ଖରସ୍ରୋତା ନଦୀକୁ ଲମ୍ଫ ମାରିଥିଲେ। ପୂର୍ଣ୍ଣିମା ଯୋଗୁଁ ନଦୀରେ ପ୍ରବଳ ସ୍ରୋତ ଥିବାରୁ ଯୁବତୀ ଜଣଙ୍କ ବହୁ ଦୂରକୁ ଭାସି ଯାଇଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକ ଡଙ୍ଗା ସାହାଯ୍ୟରେ ଯୁବତୀଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
