ଧ୍ବଂସାଭିମୁଖୀ ସାଲିହା ପାହାଡ଼: ମାତିଛନ୍ତି ପଥର ମାଫିଆ, ପରିବେଶ ସୁରକ୍ଷାକୁ ଫୁ By Swadhikar News Last updated Mar 6, 2026 ଅସ୍ତିତ୍ୱ ହରାଇବାକୁ ବସିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ର ଐତିହାସିକ ସାଲିହା ପାହାଡ଼। ଏହି ପାହାଡ଼ ପାଦଦେଶରୁ ପ୍ରତିଦିନ ଅବାଧ ପଥର ଖନନ ଚାଲିଥିବା ବେଳେ ଏଥିରେ ରୋକ୍ ନ ଲାଗିଲେ ପାହାଡ଼ଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବ। ସ୍ଥାନୀୟ ଅଞ୍ଚଳର କେତେକ କୁଜିନେତାଙ୍କ ଛତ୍ରଛାୟାରେ ପଥର ମାଫିଆ ବେଧଡ଼କ ପାହାଡ଼ କାଟି ପଥର ଚାଲାଣ କରୁଛନ୍ତି। ସେପଟେ ପାହାଡ଼ର ଅବକ୍ଷୟ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୯୩୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ବ୍ରିଟିସ୍ ପୁଲିସ ବାହିନୀର ଲାଠି ଓ ବନ୍ଧୁକ ଗୁଳିରେ ସାଲିହାଗଡ଼ ପାହାଡ଼ ରକ୍ତସ୍ନାନ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହକୁ ସମର୍ଥନ କରିବା ପାଇଁ ଓ ଇଂରେଜ ସରକାରର ଜଙ୍ଗଲ ବିଭାଗର ଜଙ୍ଗଲୀ ଆଇନକୁ ବିରୋଧ କରିବା ପାଇଁ ହଜାର ହଜାର ମହିଳା, ପୁରୁଷ, ଚାଷୀ, ଶ୍ରମିକ ଏକ ସାଧାରଣ ସଭାରେ ସମ୍ମିଳିତ ହୋଇଥିଲେ। ଜୁଲମକାରୀ ଟିକସ ଆଦାୟକୁ ବିରୋଧ ହେବାରୁ ବ୍ରିଟିସ୍ ପୁଲିସ ଅତର୍କିତ ଆକ୍ରମଣ କରି ଲାଠିମାଡ଼ ଓ ଗୁଳି ଚାଳନା କରିଥିଲା। ସଭାରେ ଉପସ୍ଥିତ ଅନେକ ଲୋକ ଆହତ ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ବି ଘଟିଥିଲା। ଏହି ସାଲିହା ପାହାଡ଼ ସେହି ବର୍ବର ଘଟଣାର ମୂକସାକ୍ଷୀ ହୋଇ ରହିଛି। ବର୍ତ୍ତମାନ ଏହି ପାହାଡ଼ ଧ୍ବଂସାଭିମୁଖୀ ହେବାରେ ଲାଗିଛି।ବିସ୍ଫୋରଣ ଦ୍ବାରା ଅଧା ପାହାଡ଼ ସଫା ହୋଇଗଲାଣି। ଅନେକ ବନ୍ୟଜନ୍ତୁ ରହୁଥିବା ଏହି ପାହାଡ଼ ନୂଆପଡ଼ା ରେଞ୍ଜ ଅଧୀନରେ ରହିଛି। କିନ୍ତୁ ବନ ବିଭାଗ କିମ୍ବା ପ୍ରଶାସନ ପଥର ଚୋରାଚାଲାଣ ରୋକିବା ପାଇଁ ପଦକ୍ଷେପ ନେଉ ନାହାନ୍ତି। ସାଲିହା ପାହାଡ଼ର ଇତିହାସକୁ ଉପଲବ୍ଧି କରି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ପାହାଡ଼ର ସୁରକ୍ଷା ପାଇଁ ସାଲିହା ଓ ହାସପୁରୀ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ସଂପର୍କରେ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କୁ ପଚରାଯିବାରୁ ଖଣି ବିଭାଗ ସହ ଆଲୋଚନା କରି ପାହାଡ଼ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। swadhikarswadhikar news Share