ଓଡ଼ିଶାରେ ଅମିତ ଶାହ । ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବିମାନବନ୍ଦରରୁ ସିଧାସଳଖ କଟକ ମୁଣ୍ଡଳୀସ୍ଥିତ CISFର ୫୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ପାରଦୀପ ଗସ୍ତ କରିବେ । ସେଠାରେ ଦିନ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ପାରାଦୀପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃହ ମନ୍ତ୍ରୀ । ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (NFSU) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ।ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିବେ । ଏହି ଅବସରରେ IIT ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ । ସଂଧ୍ୟାରେ ଦିଲ୍ଲୀ ଫେରିଯିବେ। ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
