ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ: ପୂର୍ତ୍ତ ବିଭାଗ ନାଁରେ ୮୧ ଏକର ଜମି, ବଦଳି ପାରୁନି ମାଲିକାନା By Swadhikar News Last updated Mar 11, 2026 ଓଡ଼ିଶାର ସର୍ବ ପ୍ରଥମ କଲେଜ ତଥା ଆଜିର ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ। ମୂଳ ବିଶ୍ବବିଦ୍ୟାଳୟ ଯେଉଁ ଜମି ଉପରେ ଛିଡ଼ା ହୋଇଛି ତାହା ପୂର୍ତ୍ତ ବିଭାଗ ନାମରେ ରହିଛି। ତାହାର ମାଲିକାନା ରେଭେନ୍ସା ବିଶ୍ବବିଦ୍ୟାଳୟ ନାମକୁ ଆସିପାରୁ ନାହିଁ। ରେଭେନ୍ସା ନାମରେ ଜମି ନ ଥିବାରୁ ସେଥିରୁ ପ୍ରାୟ ସାଢ଼େ ୫ ଏକର ଜମି ସରକାର ଅନ୍ୟ କାମରେ ବ୍ୟବହାର କରି ଦେଇଛନ୍ତି। ତଥ୍ୟ ଅନୁଯାୟୀ ରେଭେନ୍ସା ବିଶ୍ବବିଦ୍ୟାଳୟ ମୌଜା -ୟୁନିଟ୍-୨୪, କଲେଜ ଛକ, କଟକ ଅଧୀନରେ ଥିବା ୮୧.୦୪୩ ଡିସିମିଲ୍ ଜମି ଉପରେ ନିର୍ମାଣ ହୋଇଛି। ୧୮୬୮ ମସିହାରେ ରେଭେନ୍ସା କଲେଜ ଏହି ଜମିରେ ନିର୍ମାଣ ହୋଇଥିବା ବେଳେ ୨୦୦୬ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିଲା। କିନ୍ତୁ ବିଶ୍ବବିଦ୍ୟାଳୟ ନାମରେ ଜମି ନ ଥିବାରୁ ସେ ସମୟରେ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୮୧ ଏକର ଜମିକୁ ରେଭେନ୍ସା ନାମରେ କରିବା ସହିତ ଦ୍ବିତୀୟ କ୍ୟାମ୍ପସ୍ ପାଇଁ ୧୨୬ ଏକର ଜମି ସିଡିଏ ଅଞ୍ଚଳରେ ଦେବାକୁ ନିଷ୍ପତ୍ତି ହୋଇଥିଲା।ବୈଠକରେ ଉଚ୍ଚଶିକ୍ଷା ବିଭାଗ, ରାଜସ୍ବ ବିଭାଗ, ଜିଲ୍ଲା ପ୍ରଶାସନ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ବହୁ ଅଧିକାରୀ ଉପସ୍ଥିତ ଥିଲେ। ନିଷ୍ପତ୍ତି ଅନୁଯାୟୀ ନୂତନ କ୍ୟାମ୍ପସ୍ର ୧୨୬ ଏକର ଜମିକୁ ୯୯ ବର୍ଷ ପାଇଁ ଲିଜ୍ ଡିଡ୍ରେ ରେଭେନ୍ସାକୁ ଦିଆଗଲା। ମାତ୍ର ମୁଖ୍ୟ କ୍ୟାମ୍ପସ୍ର ଜମି ସଂକ୍ରାନ୍ତରେ ନିଆଯାଇଥିବା ନିଷ୍ପତ୍ତିକୁ ଉଚ୍ଚଶିକ୍ଷା ବିଭାଗ, ରାଜସ୍ବ ବିଭାଗର କର୍ତ୍ତୃପକ୍ଷ ଭୁଲିଗଲେ। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ, ରାଜସ୍ବ ବିଭାଗ, ଜିଲ୍ଲାପାଳ, ସଦର ତହସିଲଦାରଙ୍କୁ ବାରମ୍ବାର ଚିଠି କରାଯାଇଛି। ଏପରିକି ୨୦୨୪ରେ ରାଜସ୍ବ ବିଭାଗର ନିର୍ଦ୍ଦେଶକ୍ରମେ ମୁଖ୍ୟ କ୍ୟାମ୍ପସ୍ର ସମସ୍ତ କାଗଜପତ୍ର ବିଭାଗକୁ ଦିଆଯାଇଥିଲା। ହେଲେ ୨ବର୍ଷ ଧରି ଏହା ଉପରେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ରେଭେନ୍ସା ନାମରେ ଜମି ନ ଥିବାରୁ ବିଗତ ଦିନରେ ରେଭେନ୍ସା ଜୁନିୟର କଲେଜ ପାଇଁ ଅଢ଼େଇ ଏକର ଓ ଅର୍ବାନ୍ ହାଟ ପାଇଁ ୩ ଏକରରୁ ଅଧିକ ଜମିକୁ ସରକାର ନେଇ ଯାଇଛନ୍ତି। ଏହାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା।ମାତ୍ର ରେଭେନ୍ସା ନାମରେ ଜମି ନ ଥିବାରୁ ଏହା ଅତି ସହଜରେ ଅନ୍ୟ ହାତକୁ ଟେକି ଦିଆଗଲା। ଜମି ରେଭେନ୍ସା ନାମରେ ଥିଲେ ଏହାକୁ ନେବାରେ ଆଇନଗତ ବାଧା ସୃଷ୍ଟି ହୋଇଥାନ୍ତା। ବିଶ୍ବବିଦ୍ୟାଳୟ ନାମରେ ଜମି କରିବାକୁ ଉଚ୍ଚଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି କରାଯାଇଛି ବୋଲି କୁଳସଚିବ କାହ୍ନୁ ଚରଣ ମଲ୍ଲିକ କହିଛନ୍ତି। ଆଗାମୀ ଦିନରେ କେଉଁଠି ସମସ୍ୟା ରହିଛି, ତାହାର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। swadhikarswadhikar news Share