ହଠାତ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର କ୍ୟାରେଜ୍ ରିପେୟାର୍ ୱାର୍କସପ୍ର କୋଚିଂ ଡିପୋ ପରିସରରେ ଲାଗିଗଲା ନିଆଁ । ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ୱାର୍କସପ୍ର ସ୍କ୍ରାପ୍ ଡିପୋଜିଟ୍ ଲାଇନ୍ (ବର୍ଜ୍ୟବସ୍ତୁ ରଖାଯାଉଥିବା ସ୍ଥାନ) ନିକଟରେ ଧୂଆଁ ଓ ନିଆଁ ଦେଖାଯାଇଥିଲା । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା । ପାଖରେ ରହିଛି ରେଳ ବିଭାଗର ବଡ ୱାର୍କସପ । ତେବେ ନିଆଁ ଲାଗିବା ଖବର ପାଇବା ପରେ ଡିପୋ କର୍ମଚାରୀମାନେ ତତ୍ପରତା ପ୍ରକାଶ କରିଥିଲେ । କର୍ମଶାଳାରେ ଉପଲବ୍ଧ ଆଭ୍ୟନ୍ତରୀଣ ସମ୍ବଳ ଏବଂ ଅଗ୍ନିଶମ ବ୍ୟବସ୍ଥା ସାହାଯ୍ୟରେ ଖୁବ୍ କମ୍ ସମୟ ମଧ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ତେବେ ଦେଖୁ ଦେଖୁ ଅନେକ ବର୍ଜ୍ୟବସ୍ତୁ ରଖାଯାଇଥିବା ସ୍ଥାନ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଏହାକୁ କିଭଳି ଭାବେ ପରିସ୍କାର କରାଯିବ ସେନେଇ ଚିନ୍ତାରେ ରହିଛି ରେଳ ବିଭାଗ ।ଘଟଣାରେ ରେଳବାଇର କୌଣସି ସମ୍ପତ୍ତି, ଭିତ୍ତିଭୂମି କିମ୍ବା କୋଚ୍ (Rolling Stock) ର କ୍ଷତି ହୋଇନାହିଁ । ସବୁଠାରୁ ଆଶ୍ୱସ୍ତିର ବିଷୟ ହେଉଛି, ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଅଛି ଏବଂ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ମିଳିଛି ।
ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର କର୍ମଶାଳାରେ ଅଗ୍ନିକାଣ୍ଡ ଘଟଣାର ସ୍ପଷ୍ଟୀକରଣ ଦିଆଯାଇଛି । ଆଜି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ମଞ୍ଚେଶ୍ୱର କର୍ମଶାଳାର କୋଚିଂ ଡିପୋର ସ୍କ୍ରାପ୍ ଡିପୋଜିଟ୍ ଲାଇନ୍ ଅଞ୍ଚଳରେ ଏକ ସାମାନ୍ୟ ଧୂଆଁ ଏବଂ ଅଗ୍ନିକାଣ୍ଡ ଦେଖାଯାଇଥିଲା । ଏଥିରେ କୌଣସି ରେଳ ସମ୍ପତ୍ତି, ଭିତ୍ତିଭୂମି କିମ୍ବା ରୋଲିଂ ଷ୍ଟକର କୌଣସି କ୍ଷତି ହୋଇନାହିଁ । ଏହା ସହିତ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇଥିବା ରିପୋର୍ଟ କରାଯାଇ ନାହିଁ । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ନିୟନ୍ତ୍ରଣାଧୀନ ରହିଛି । ଏହା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ସ୍ପଷ୍ଟୀକରଣ ଦେଇଛି ରେଳ ବିଭାଗ ।
