କଂଗ୍ରେସ ବିଧାୟକଙ୍କୁ ୫କୋଟି ଅଫର୍ ଅଭିଯୋଗ By Swadhikar News Last updated Mar 16, 2026 କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ୮ ଜଣ ବିଧାୟକଙ୍କୁ ପିସିସି ସଭାପତି ବେଙ୍ଗାଲୁରୁ ନେଇଥିଲେ। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଘ କରିଛି। ଏହି ଅଭିଯୋଗ ଭିତ୍ତିରେ ଚାରିଜଣଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଛି। ଅନ୍ୟ ପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଇ ଏଆଇସିସି ସଭାପତି ମଲିକାର୍ଜୁନ୍ ଖଡଗେଙ୍କୁ ଭେଟିଛନ୍ତି।କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି, ଆମର ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଲେଖାଏଁ ଅଫର୍ କରାଯାଇଛି। ଓଡ଼ିଶାରୁ ୪ ଜଣ ଶନିବାର ରାତିରୁ ଆସି ବିଧାୟକ ରହୁଥିବା ହୋଟେଲରେ ଥିଲେ। ସେମାନେ ଆମ ବିଧାୟକଙ୍କ ପଛପଛେ ବୁଲିବା ସହ ଆଜି ସକାଳେ ଲିଫ୍ଟରେ ଏକାଠି ଯିବାବେଳେ ଏବଂ ଜଳଖିଆ କରିବାବେଳେ ଟଙ୍କା ଅଫର୍ କରିଛନ୍ତି। ଦିଲୀପ ରାୟଙ୍କୁ ଭୋଟ୍ ନଦେଲେ ଓଡ଼ିଶା ଗଲେ ଅପହରଣ କରାଯିବ ବୋଲି ଧମକ ଦେଇଛନ୍ତି। ଆମେ ପୁଲିସକୁ ଅଭିଯୋଗ କରିବା ପରେ ପଚରାଉଚରାରୁ ଜଣାପଡ଼ିଛି ଯେ ସେମାନେ ରାଉରକେଲା ଓ ଢେଙ୍କାନାଳରୁ ଆସିଛନ୍ତି। ଆମର ସବୁ ବିଧାୟକ ଏକାଠି ଅଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ବରରେ ଆଉ ୬ ଭୋଟ୍ ସୁରକ୍ଷିତ ରହିଛି।କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଅନୁରୂପ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ସମାନ ଅଭିଯୋଗ କରିଥିଲେ। ଶ୍ରୀ ଦାସ କହିଥିଲେ, ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁତ୍ର ଅଜିତ ସାହୁ, ରାଉରକେଲାର ବୀରେନ୍ଦ୍ର ପ୍ରସାଦ, ସୀମାଞ୍ଚଳ ମହାକୁଡ଼ ଓ କର୍ଣ୍ଣାଟକର ଜଣେ ବିଜେପି ନେତାଙ୍କ ଲୋକ ସୁରେଶ। ସେମାନଙ୍କ ପାଖରୁ ଗୋଟିଏ ବ୍ଲାଙ୍କ ଚେକ୍ ଏବଂ ୧୭ ଲକ୍ଷ ଟଙ୍କା ଲେଖାଥିବା ଅନ୍ୟ ଏକ ଚେକ୍ ଜବତ ହୋଇଛି। ବିଜେପି ପାଖରେ ଜିତିବାକୁ ସଂଖ୍ୟା ନଥାଇ ବି ଚତୁର୍ଥ ପ୍ରାର୍ଥୀ ଦେଇଛି। ତେଣୁ ଏହିଭଳି ଘୋଡ଼ା ବେପାର ବାଟ ଆପଣାଉଛି।କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଯେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଡାକ୍ତର ଦତ୍ତେଶ୍ୱର ହୋତା ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇପାରିଥାନ୍ତେ। କିନ୍ତୁ ବିଜେପି ନିଜର ସଂଖ୍ୟା ନଥାଇ ମଧ୍ୟ ୫ମ ପ୍ରାର୍ଥୀଙ୍କ ନାମାଙ୍କନ କଲା। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଜାତୀୟ ସଭାପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପ୍ରାର୍ଥୀ ଘୋଡ଼ା ବେପାରକୁ ସମର୍ଥନ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। swadhikarswadhikar news Share