ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ By Swadhikar News Last updated Mar 20, 2026 ଧାନମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ଅସହଯୋଗ ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ୍ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ଵସ୍ଥ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର ସକାଳେ ଅବରୋଧ କରିଛନ୍ତି lଚାରିତରଫ ସମିତି ମଣ୍ଡିରେ ୭୨୦ଜଣ ପଞ୍ଜୀକୃତ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୫୨ ଜଣ ଚାଷୀ ଏଯାବତ୍ ଧାନ ବିକ୍ରି କରି ପାରିନାହାନ୍ତି l ମଣ୍ଡି ସହ ୨ଟି ଧାନକଳ ଅନୁବନ୍ଧିତ ହୋଇଛି। କିନ୍ତୁ ଗତ ୧୫ଦିନ ମଧ୍ୟରେ ସେମାନେ ଆଦୌ ଧାନ ଉଠାଇ ନାହାନ୍ତି l ମଣ୍ଡି ସାମ୍ନାରେ ଖରା, କାକରରେ ୮ହଜାର କ୍ବିଣ୍ଟାଲ୍ରୁ ଊର୍ଦ୍ଧ୍ୱ ଧାନବସ୍ତା ପଡ଼ି ରହିଛି l ସମିତିକୁ ମିଳିଥିବା ଟାର୍ଗେଟ ପୂରଣ ହୋଇସାରିଥିବା ବେଳେ ଅଧିକ ୮ହଜାର କୁଇଣ୍ଟାଲ ଟାର୍ଗେଟର ଆବଶ୍ୟକତା ଥିଲେ ମଧ୍ୟ ତାହା ପୂରଣ କରାଯାଉ ନାହିଁ l ଏପରି ଅବ୍ୟବସ୍ଥା ଯୋଗୁ ମଣ୍ଡିକୁ ଧାନ ଦେଇ ଚାଷୀମାନେ ମଧ୍ୟ ପ୍ରାପ୍ୟ ପାଇ ପାରିନାହାନ୍ତି l ତେବେ ସମିତି ସଭାପତି, କର୍ମକର୍ତ୍ତା ଓ ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ତେବେ କୌଣସି ସୁଫଳ ନମିଳିବାରୁ ସେମାନେ ରାସ୍ତା ରୋକପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ରାସ୍ତା ଅବରୋଧର ୩ ଘଣ୍ଟା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତୀଶ ସାମଲ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ lସମିତି ସଭାପତି ବସନ୍ତ କୁମାର ନାୟକ, ଚାଷୀ ନେତା ମୁକ୍ତିକାନ୍ତ ନାୟକ, ରାଜନଗର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ବିଚିତ୍ର ବଳ, ସନ୍ଥ ଚରଣ ବିଶ୍ୱାଳ ପ୍ରମୁଖ ମଣ୍ଡିରେଥିବା ସମସ୍ୟା ଉପସ୍ଥାପନ କରିଥିଲେ l ଆଲୋଚନା ବେଳେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ସମିତି ସମ୍ପାଦକ ମନୋରଞ୍ଜନ ବଳ, ପୂର୍ବତନ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପ୍ରଭାତ ବିଶ୍ୱାଳ, ସନାତନ ବାରିକ, ସୁବାସ ସ୍ୱାଇଁଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ l ତହସିଲଦାର ଆଚାର୍ଯ୍ୟ ଶୁକ୍ରବାର ୨ଟି ଓ ଅନ୍ୟଦିନରେ ଗୋଟିଏ ଲେଖାଏଁ ବଡ଼ ଟ୍ରକ ଯୋଗାଇ ଧାନବସ୍ତା ଉଠାଯିବା ଓ ଅଧିକ ଟାର୍ଗେଟ ଦିୖଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l swadhikarswadhikar news Share