‘ଋଷିକୁଲ୍ୟା’ ନଦୀ ଉତ୍ପତ୍ତିସ୍ଥଳରେ ଜଳକଷ୍ଟ By Swadhikar News Last updated Mar 21, 2026 ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ନଦୀର ଉତ୍ପତ୍ତିସ୍ଥଳ ଋଷିମାଳ ପାହାଡ଼ତଳର ଦୁଇଟି ଗାଁ ପିଡ଼ିକାରୀ ଓ କସପଙ୍କା। ଏହି ଦୁଇ ଗ୍ରାମର ଲୋକେ ବର୍ଷର ୧୨ ମାସ ଜଳକଷ୍ଟ ଭୋଗନ୍ତି। କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତ ଅଧୀନରେ ରହିଥିବା ଏହି ଦୁଇଟି ଆଦିବାସୀ ଗ୍ରାମର ଲୋକେ ବର୍ଷ ସାରା ପାଣି ପାଇଁ ଚୁଆ ଓ କୂଅ ଉପରେ ନିର୍ଭର କରୁଛନ୍ତି। ଗ୍ରୀଷ୍ମରେ ଏଠାରେ ପାଣି ସଂକଟ ଆହୁରି ଉତ୍କଟ ହେଉଛି। କେବଳ ପିଇବାକୁ ନୁହେଁ, ଗାଧୋଇବା ଓ ଚାଷବାସ ପାଇଁ ବି ପାଣି ମିଳୁନି। ଚାଷ ପାଇଁ ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଋଷିକୁଲ୍ୟା ନଦୀ କନ୍ଧମାଳର ଦାରିଙ୍ଗବାଡ଼ି ସମେତ ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ଓ ଛତ୍ରପୁର ବ୍ଲକ୍ ଅଞ୍ଚଳର ଜଳଯୋଗାଣରେ ପ୍ରମୁଖ ଭୂମିକା ନେଉଥିବା ବେଳେ ଏହି ଦୁଇ ଗାଁର ଦୁରବସ୍ଥା ସରକାରଙ୍କ ନଜରକୁ ଆସିପାରୁନି। ଉଭୟ ଗ୍ରାମର ମୋଟ ଜନସଂଖ୍ୟା ୭ ଶହରୁ ଅଧିକ।ପିଡ଼ିକାରୀ ଗ୍ରାମରେ ନଳକୂପ ନ ଥିବାରୁ ଗ୍ରାମବାସୀ ଅନେକ ଦୂରରେ ଥିବା ଏକ କୂଅର ପାଣି ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ଖରାଦିନେ ଏହି କୂଅ ଶୁଖିଗଲେ ସମସ୍ୟା ଦ୍ବିଗୁଣିତ ହୁଏ ବୋଲି ଗ୍ରାମର ବ୍ରହ୍ମାନନ୍ଦ ଦେଶମାଝୀ, ରଞ୍ଜିତ ଦେଶମାଝୀ, ସୁଜୟ ଦେଶମାଝୀ, ପ୍ରେମାନନ୍ଦ ଦେଶମାଝୀ, ରଞ୍ଜିତ ଦେଶମାଝୀ ଓ ନକୁଳ ଦେଶମାଝୀ ପ୍ରମୁଖ କହିଛନ୍ତି। ସେହିପରି କିଛିବର୍ଷ ତଳେ ଏହି ଗ୍ରାମରେ ‘ବସୁଧା’ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା। କିନ୍ତ ପ୍ରକଳ୍ପ କାମ ଅଧପନ୍ତରିଆ ଅବସ୍ଥାରେ ଅଟକିଗଲା। ଏହାପରଠୁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇନି। ସେହିପରି କସପଙ୍କା ଗ୍ରାମର ସ୍ଥିତି ଆହୁରି ଦୁର୍ବିସହ। ଏହି ଗ୍ରାମରେ ବସୁଧା ଓ ସ୍ବଜଳଧାରା ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ ହୋଇନି। ସେହିପରି ଗୋଟିଏ ନଳକୂପ ବହୁବର୍ଷ ଧରି ଅଚଳ ହୋଇ ରହିଥିବାବେଳେ ଲୋକେ କୂଅ ଉପରେ ନିର୍ଭର କରନ୍ତି। କିନ୍ତୁ ଗ୍ରୀଷ୍ମରେ ତାହା ଶୁଖିଗଲେ ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ନନ୍ଦନ ମଲିକ, କଟିଶା ମଲିକ, ଜଗୁଶ ବେହେରମାଝୀ ଓ ଜଲେଶ ପରମାଣିକ କହିଛନ୍ତି। ଋଷିକୁଲ୍ୟା ନଦୀ ଉପରେ ଗଞ୍ଜାମ ଜିଲ୍ଲାରେ ବାଘୁଆ, ଘୋଡ଼ାହାଡ଼, ଧନେଇ ଓ ହୀରାଧରବାଟି ଭଳି ଅନେକ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଋଷିକୁଲ୍ୟା ନଦୀର ପାଣିକୁ କେନାଲ୍ ମାଧ୍ୟମରେ ଅଣାଯାଇପାରିଲେ ଦୁଇ ଗାଁର ଲୋକ ଜଳସଂକଟରୁ ମୁକ୍ତି ପାଇପାରନ୍ତେ ବୋଲି କସପଙ୍କା ଗାଁର ଜଲେଶ ପରମାଣିକ କହିଛନ୍ତି। ଚାଷକାମ ହେଉ ନ ଥିବାରୁ ଏବେବି ଦୁଇ ଗାଁର ଲୋକେ ଆମ୍ବଟାକୁଆକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ସେହିପରି ଏହି ଦୁଇ ଗ୍ରାମର ଜଣେ ବି ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି।ସୂଚନାଯୋଗ୍ୟ, ଗତବର୍ଷ ଏହି ଦୁଇଟି ଗ୍ରାମକୁ ଲାଗିଥିବା ମାଣ୍ଡିପଙ୍କା ଗ୍ରାମରେ ଖାଦ୍ୟାଭାବ କାରଣରୁ ବିଷାକ୍ତ ଆମ୍ବଟାକୁଆ ଖାଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା। swadhikarswadhikar news Share