ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି ? ହେଲମେଟ ପିନ୍ଧି ନାହାନ୍ତି କି ? ସିଟ ବେଲ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି କି ? ମୋବାଇଲ ଫୋନରେ କଥା ହୋଇ କିମ୍ବା ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ! କାରଣ ଏଭଳି ଭୁଲ୍ କଲେ ଆଉ ଛାଡ଼ ନାହିଁ, ଗଣିବାକୁ ପଡ଼ିବ ତଣ୍ଡ। ଆରମ୍ଭ ହେବାକୁ ଯାଉଛି କଡ଼ା ଚେକିଂ। ସରକାରଙ୍କ ତରଫରୁ ଆରଟିଓମାନଙ୍କୁ ଟାର୍ଗେଟ ଫିକ୍ସ କରିଛି ପରିବହନ ବିଭାଗ ।ପ୍ରକୃତରେ ଯାନବାହାନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଏବଂ ଓଭରଲୋଡିଂ ଯାନ ସଂଖ୍ୟା ବୃଦ୍ଧି ପାଉଛି। ଏମିତିରେ ରାଜ୍ୟର ବର୍ତ୍ତମାନର ଦୁର୍ଘଟଣା ପରିସ୍ଥିତି ଏବଂ ଯାନବାହାନ ସଂଖ୍ୟାକୁ ବିଚାର କରି, ଅଧିକାରୀ ଏବଂ ଅଞ୍ଚଳ ଅନୁଯାୟୀ ମୋଟର ଗାଡ଼ି ଅପରାଧ ଚିହ୍ନଟ ଏବଂ ଏହାର ରାଜସ୍ୱ ସଂଗ୍ରହ ଉଭୟ ଲକ୍ଷ୍ୟ ସ୍ଥିର କରାଯାଇଛି। ପ୍ରତି ମାସ ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ନେଇ ରାସ୍ତାକୁ ଓହ୍ଲାଇବେ ଆରଟିଓ ଅଧିକାରୀ ।ମିଳିଥିବା ସୂଚନା ଅନୁସାରେ, କେବଳ ଭୁବନେଶ୍ୱର ଆରଟିଓ ୧ ଏବଂ ୨ ଓ ଖୋର୍ଦ୍ଧା ପାଇଁ ୧ କୋଟି ୨୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଫାଇନ ଟଙ୍କା ଅତିରିକ୍ତ ଆରଟିଓ, ଏମଭିଆଇ, ଜୁନିୟର ଏମଭିଆଇ ଓ ଟ୍ରାଫିକ ଇନ୍ସପେକ୍ଟର ଆଦାୟ କରିବେ। ସେହିଭଳି କଟକ, ଅନୁଗୁଳ ଆରଟିଓ ପାଇଁ ୬୨ ଲକ୍ଷ, ଗଞ୍ଜାମକୁ ୬୭ ଲକ୍ଷ, ଝାରସୁଗୁଡ଼ା ପାଇଁ ୬୦ ଲକ୍ଷ, ଚଣ୍ଡିଖୋଲ, ବାଲେଶ୍ୱର, ଭଦ୍ରକ, ରାଉରକେଲା ପାଇଁ ୬୪ ଲକ୍ଷ, ଯାଜପୁର ଓ କେନ୍ଦ୍ରାପଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ପାଇଁ ୫୨ ଲକ୍ଷ, ନୟାଗଡ଼ ୪୭ ଲକ୍ଷ ଟଙ୍କା।କେବଳ ଏତିକି ନୁହେଁ ମାଲ ବୁହା ଗାଡ଼ିରେ ଲୋକମାନେ ଗଲେ ଓ ମାଲବୁହା ଗାଡ଼ିରେ ଆବଶ୍ୟକତାଠାରୁ ଅଧିକ ଲୋଡ଼ କଲେ ଏବଂ ଯେକୌଣସି ଗାଡ଼ିର ପଛ ପଟ ଲାଇଟ ଜଳୁ ନଥିଲେ କଡ଼ା ଫାଇନ ଆଦାୟ କରିବେ ଅଧିକାରୀ । ମୋଟ ଉପରେ ୧୦ରୁ ଅଧିକ ପ୍ରକାରର ଆଇନକୁ ଅମାନ୍ୟ କଲେ ତଣ୍ଡ ଗଣିବାକୁ ପଡିବ ବୋଲି ନିର୍ଦେଶ ଦିଆଯାଇଛି।ତେବେ ରାଜ୍ୟରେ ରାଜସ୍ୱ ଆଦାୟ ବୃଦ୍ଧି ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ବିଭାଗକୁ ବଡ଼ ଟାର୍ଗେଟ ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣା କମାଇବା ଏବଂ ରାଜସ୍ୱ ସଂଗ୍ରହ ବୃଦ୍ଧି କରିବାକୁ କୁହାଯାଇଛି ।କିନ୍ତୁ ଏହାଦ୍ୱାରା ସାଧାରଣ ଲୋକେ ବହୁତ ହନ୍ତସନ୍ତ ହେବାର ସମ୍ଭାବନା ରହିଛି। ଗୋଟିଏ ପଟେ ପୂର୍ବରୁ ମୋଟର ଯାନ ଫାଇନକୁ ଅହେତୁକ ବୃଦ୍ଧି କରାଯାଇଛି ଏବଂ ଏହା ଉପରେ ମାସିକ ଆରଟିଓମାନଙ୍କୁ ଟାର୍ଗେଟ ଦିଆଯାଇଛି। ଯାହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଏମିତିରେ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ପରିବହନ ବିଶେଷଜ୍ଞ।
