Odia News Portal

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ମଦ୍ୟପ ଯୁବକଙ୍କ ହଙ୍ଗାମା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ଯୁବକଙ୍କ ହଙ୍ଗାମା । ଭୁବନେଶ୍ବରରେ ପ୍ରତାପ ଜେନାଙ୍କ ପରିବାର ରହୁଥିବା ଘରକୁ ଗତ ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଜବରଦସ୍ତ ପଶି ଥିବା ଅଭିଯୋଗ ହୋଇଛି । ଯୁବକମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଏହା କେବଳ ଆକ୍ରମଣ ନୁହେଁ । ଏହା ସଶସ୍ତ୍ର ଆତଙ୍କ । ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି ।ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।