Odia News Portal

ରାଇରଙ୍ଗପୁର ଜେଲରୁ ମୁକୁଳିଲେ 34 ଆଦିବାସୀ, ଫୁଲ ପକାଇ ସ୍ବାଗତ କଲେ 5000ରୁ ଊର୍ଦ୍ଧ୍ବ ଜନତା

ନାବାଳିକା ଅସଦାଚରଣ ମାମଲାରେ ପୋଲିସକୁ ଆକ୍ରମଣ କରି ଗିରଫ ହୋଇଥିବା 34 ଜଣ ଆଦିବାସୀ ଗତକାଲି(ଶନିବାର) ରାଇରଙ୍ଗପୁର ଜେଲରୁ ମୁକୁଳିଛନ୍ତି । ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚର ବାମନଘାଟି ଉପଖଣ୍ଡ ବନ୍ଦ କରିବା ପରେ ସମସ୍ତ ଗିରଫଙ୍କୁ ଜେଲରୁ ମୁକୁଳାଇବା ନେଇ ପୂର୍ବରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା ।ସେମାନେ ଜେଲରୁ ମୁକୁଳିବା ପରେ ଆସେକା ଠାରେ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । 34 ଜଣ ଗିରଫ ଆଦିବାସୀଙ୍କ ମଧ୍ୟରେ 27 ଜଣ ମହିଳା ଓ 7 ଜଣ ପୁରୁଷ ରହିଥିଲେ । ତେବେ ତିରିଂ ଥାନା ଅଞ୍ଚଳର ଜୈନିକା ନାବାଳିକାକୁ ଅସଦାଚରଣ ନେଇ ବହଳଦା ବାଇପାସରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ । ଉକ୍ତ ସମୟରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଗ୍ରାମବାସୀ ମାନଙ୍କ ଆକ୍ରମଣରେ 13 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାକୁ ନେଇ ପୋଲିସ ପକ୍ଷରୁ ବହଳଦା ଥାନାରେ 59 ଜଣକ ନାମ ମାମଲା ରୁଜୁ କରିଥିବା ବେଳେ 34ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।ତେବେ ଗିରଫଙ୍କୁ ଖଲାସ ଦାବିରେ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦୁଇ ଦିନ ଧରି ଆନ୍ଦୋଳନ ପରେ ବି ଦାବି ପୂରଣ ନହେବାରୁ 48 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଶୁକ୍ରବାର ସକାଳ 6ରୁ ରବିବାର ସକାଳ 6 ପର୍ଯ୍ୟନ୍ତ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଥିଲା । ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜୋରଦାର ବନ୍ଦ ପାଳନ କରାଯାଇଥିଲା । ଯାହାକୁ ନେଇ ବନ୍ଦର 12 ଘଣ୍ଟା ମଧ୍ୟରେ ଦାବି ପୂରଣ ନେଇ ପୋଲିସ ପ୍ରଶାସନ ରାଜି ହୋଇଥିଲେ ।ଜେଲରୁ ବାହାରିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଆସେକାକୁ ନିଆଯାଇଥିଲା । ସେଠାରୁ ବିଭିନ୍ନ ସ୍ଥାନରୁ ଆସିଥିବା 5000ରୁ ଊର୍ଦ୍ଧ୍ବ ଆଦିବାସୀଙ୍କ ସମାଗମ ହୋଇଥିଲା । ସ୍ୱତନ୍ତ୍ର ସଭାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଉପସ୍ଥିତ ଆଦିବାସୀ ନେତା । ଏଥିରେ ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ମହିଳା ସଭାନେତ୍ରୀ ତନୁଜା ମହାନ୍ତଙ୍କ ସମେତ ବିଭିନ୍ନ ଆଦିବାସୀ ସଂଗଠନର ନେତା ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।ବିଜେଡି ସମେତ ବିଭିନ୍ନ ଆଦିବାସୀ ସଙ୍ଗଠନ ଓ ପୋଲିସ ପ୍ରଶାସନ ମଧ୍ୟରେ ଆଲୋଚନା କରାଯାଇଥିଲା । ଶନିବାର ଅପରାହ୍ନ ସୁଦ୍ଧା 34 ଜଣ ଆଦିବାସୀଙ୍କୁ ମୁକୁଳାଇବା ପାଇଁ ସମସ୍ତ ଦାୟିତ୍ୱ ନିଜେ ଗ୍ରହଣ କରିବେ ବୋଲି ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁନାଥ ଜେନା ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।