ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ୍ର ଅଗ୍ନିନିରାପତ୍ତା ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରାଜ୍ୟର ଅଗ୍ନି ନିରାପତ୍ତା ନିୟମକୁ କଠୋର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭିନ୍ନ ମେଡିକାଲ୍ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ରୋଗୀଙ୍କ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦେବାକୁ କହିଥିଲେ । ସମସ୍ତ ହସ୍ପିଟାଲରେ ଅଗ୍ନିନିରୋଧକ ଯନ୍ତ୍ର କାର୍ଯ୍ୟକ୍ଷମ ରଖିବା, ଏହିଗୁଡ଼ିକର ନିୟମିତ ଯାଞ୍ଚ ଓ ମକ୍ ଡ୍ରିଲ୍ କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ଏବଂ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସ୍ୱାସ୍ଥ୍ୟ ମନ୍ତ୍ରୀ ରୋଗୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ଓ ଏଥିରେ କୌଣସି ପ୍ରକାର ଅବହେଳା ସହ୍ୟ କରାଯିବ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ସମସ୍ତେ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ |ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ, ସ୍ୱତନ୍ତ୍ର ସଚିବ ଡା ବିଜୟ ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।
